ଚୋରି ସାମଗ୍ରୀ ଅଭିଯୋଗରେ ଜଣେ ଗିରଫ

ାା ପ୍ରଭାନୁ୍ୟଜ ।ା କେନ୍ଦୁଝର:  କେନ୍ଦୁଝର ଟାଉନ ଥାନା ପୁଲିସ ଚୋରି ସାମଗ୍ରୀ ରଖିଥିବା ଅଭିଯୋଗରେ ଜଣେ ସ୍କ୍ରାପ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୨୭ ତାରିଖ ରାତିରେ କବିତ୍ରା ଗ୍ରାମରୁ ଘୃତ କୁମାର ସାହୁଙ୍କ ସମେତ ଅନ୍ୟ ୩ଜଣ ଚାଷୀ ସନ୍ତୋଷ କୁମାର ମାଝୀ, ଟୁକେନ୍ଦ୍ର ମହାନ୍ତ, ଅର୍ଜୁନ ମହାନ୍ତଙ୍କ ଚାଷ ଜମିରୁ ୪ଟି ମୋଟର ପମ୍ପ ଚୋରି ହୋଇଥିଲା । 
ଏ ନେଇ ଘୃତ କୁମାର ସାହୁ ଗତ ୭ ତାରିଖ ଦିନ ଟାଉନ ଥାନାରେ ଳିଖିତ ଅଭିଯୋଗ କରିଥିଲେ । ଟାଉନ ପୁଲିସ କେସ ନମ୍ବର ୫୫୫/୨୦୨୪ରେ ଏକ ମାମଲା ରୁଜୁ କରିଥିଲା । ତଦନ୍ତ ବେଳେ ଏହି ଚୋରି ସାମଗ୍ରୀ ପଦ୍ମପୁର ପୁଟୁଳିଆ ଗ୍ରାମର ନିତ୍ୟାନନ୍ଦ ସାହୁ ରଖିଥିବା ସୂଚନା ପାଇଥିଲା । ପୁଲିସ ଆଜି ଅତର୍କିତ ଚଢାଉ କରି ଚୋରି ୪ଟି ମୋଟର ପମ୍ପ ମଧ୍ୟରୁ ୩ ଟି ମୋଟର ପମ୍ପ ଜବତ୍ କରିବା ସହ ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ନିତ୍ୟାନନ୍ଦ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୁକୁନା ଗ୍ରାମର ୨ ଜଣ ଚୋର ମୋଟର ପମ୍ପ ଚୋରୀ କରିବା ପରେ ଏକ ପାସେଞ୍ଜର ଅଟୋରେ ଆଣି ୬ହଜାର ଟଙ୍କାରେ ବିକ୍ରୀ କରିଥିବା ଜଣାପଡିଛି । ୨ଜଣ ଫେରାର ଥିବାବେଳେ ତାଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ସିଲୁ ମଲ୍ଲିକ ପ୍ରକାଶ କରିଛନ୍ତି । କେନ୍ଦୁଝର, ସଦର ଏବଂ ପାଟଣା ବ୍ଲକରେ ଚାଷ ଜମିରୁ ବହୁ ସଂଖ୍ୟାରେ ମୋଟର ପମ୍ପ ଚୋରି ହୋଇଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ଏହି ଚୋର ଦଳ ରାତିରେ ଚାଷ କାର୍ଯ୍ୟ ପାଇଁ ବିଲରେ ଲାଗିଥିବା ମୋଟର ପମ୍ପ ଚୋରୀ କରି ଆସୁଥିବା ପୁଲିସ ଅନୁମାନ କରୁଛି । ନିତ୍ୟାନନ୍ଦ ସାହୁ ଦୀର୍ଘ ବର୍ଷ ହେବ ସ୍କ୍ରାପ ବ୍ୟବସାୟ କରୁଥିବାବେଳେ ବିଭିନ୍ନ ଚୋରି ସାମଗ୍ରୀ ରଖୁଥିବା ଅଭିଯୋଗ ହୋଇ ଆସୁଥିଲା । କେନ୍ଦୁଝର ସହରରେ ବେଆଇନ ଭାବେ ସ୍କ୍ରାପ ବ୍ୟବସାୟ ଅବାଧରେ ଚାଲିଛି । ସେହିପରି ସ୍କ୍ରାପ ବିକୁଥିବା ଲୋକଙ୍କ ଠାରୁ ସ୍କ୍ରାପ ସମ୍ବନ୍ଧୀୟ କୌଣସି ତଥ୍ୟ ରଖୁନଥିବାରୁ ବହୁ ଚୋରା କାରବାର ହେଉଥିବା ଅଭିଯୋଗ ହୋଇଛି । ଏଣୁ ନିୟମିତ ଚଢାଉ କରି ଷ୍ଟକ ଯାଂଚ କରିବା ସହ କାଗଜପତ୍ର ଯାଂଚ କଲେ ବହୁ ତଥ୍ୟ ଲୋକ ଲୋଚନକୁ ଆସିପାରିବ । ପୁଲିସ କବାଡିଆ ଦୋକାନୀମାନଙ୍କୁ ଚୋରି ସାମଗ୍ରୀ ନ କିଣିବା ପାଇଁ ବାରମ୍ବାର ତାଗିଦ୍ କଲେ ମଧ୍ୟ ପୁଲିସ ଆଦେଶକୁ ବେଖାତିର କରୁଛନ୍ତି । କବାଡି ଦୋକାନମାନେ ଚୋରା ସାମଗ୍ରୀ ଏବଂ ଯନ୍ତ୍ରାଂଶକୁ ରାତା ରାତି କଟର ମେସିନରେ କାଟି ଅଲଗା କରି ବିକ୍ରୀ କରୁଛନ୍ତି । ସେହିପରି ଚୋରା ଯାନବାହାନ ଗୁଡିକୁ ଆଣି ସେଗୁଡିକୁ ଖଣ୍ଡ ଖଣ୍ଡ କରି କାଟି ବାହାରକୁ ଚାଲାଣ କରୁଛନ୍ତି । ନିୟମ ଅନୁଯାୟୀ ଯେଉଁ ଗାଡି କଟାଯାଉଛି ତାହା କଟାଯିବା ପୂର୍ବରୁ ରେଜିଷ୍ଟ୍ରେସନ ବାତିଲ ହେବ ଏବଂ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ସ୍କ୍ରାପ ସେଂଟରରେ କଟାଯିବାର ନିୟମ ରହିଛି । ମାତ୍ର ଏହି ନିୟମକୁ ନ ମାନି ସ୍କ୍ରାପ ବ୍ୟବସାୟୀମାନ ବହୁ ସଂଖ୍ୟାରେ ଯାନବାହାନକୁ କାଟି ବିକ୍ରୀ କରୁଛନ୍ତି । ପୁଲିସ ଏ ଦିଗରେ ଦୃଢ ପଦକ୍ଷେପ ନେବାକୁ ଦାବି ହୋଇଛି ।