ତେଜିଲା  ରେଭେନ୍ସା ସହକାରୀ ପ୍ରାଧ୍ୟାପକଙ୍କୁ ନେଇ ବିବାଦ: ଛାତ୍ର କଂଗ୍ରେସ ପକ୍ଷରୁ ଗିରଫଦାରୀ ଦାବି

 କଟକ: ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଓଡ଼ିଆ ବିଭାଗ ସହକାରୀ ପ୍ରାଧ୍ୟାପକ ବିଜୟ ଲକ୍ଷ୍ମୀ ଦାଶଙ୍କୁ ନେଇ ବିବାଦ ତେଜିବାରେ ଲାଗିଛି । ଗତ ବୁଧବାର କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ ନିର୍ବାଚନ ନିୟମ ଉଲ୍ଲଘଂନ ଘଟଣାରେ ବିଜୟ ଲକ୍ଷ୍ମୀଙ୍କ ବିରୋଧରେ ସ୍ଥାନୀୟ ଲାଲବାଗ ଥାନାରେ ଏତଲା ଦେଇଥିଲେ । ଏହି ଘଟଣାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ସ୍ୱର ଉତ୍ତୋଳନ କରାଯାଇଛି । ମାମଲା ସହ ଜଡ଼ିତ ଥିବା ବିଜୟ ଲକ୍ଷ୍ମୀଙ୍କୁ ବିଶ୍ୱ ବିଦ୍ୟାଳୟରୁ ବହିଷ୍କାର କରିବା ସହ ତାଙ୍କୁ ଗିରଫ କରିବା ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି । କଟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତ କହିଛନ୍ତି, ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଡ ପ୍ରଫେସର ଭାବରେ ବିଜୟ ଲକ୍ଷ୍ମୀ ଦାଶ ସଂପ୍ରତି କାର୍ଯ୍ୟରତ ଅଛନ୍ତି । ହେଲେ ଜଣେ ପ୍ରାଧ୍ୟାପିକା କୌଣସି ମାମଲାରେ ଛନ୍ଦି ହୋଇଥିବାବେଳେ ରେଭେନ୍ସା କୁଳପତି କିଭଳି ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିନାହାନ୍ତି ତାହା ସମସ୍ତଙ୍କୁ ଚକିତ କରିଛି ବୋଲି ଶ୍ରୀ ରାଉତ କହିଛନ୍ତି । ତେଣୁ ବର୍ତ୍ତମାନ ଏହି ମାମଲାରେ ରେଭେନ୍ସା କର୍ତ୍ତୃପକ୍ଷ ତାଙ୍କୁ ଶୀଘ୍ର ବହିଷ୍କାର କରିବା ସହ ପୁଲିସ ଏ ଦିଗରେ ଏକ ନିରପେକ୍ଷ ତଦନ୍ତ କରୁ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଯଦି ଆଗାମୀ ଦିନ ମାନଙ୍କରେ ଏହି ଘଟଣାକୁ ନେଇ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ ଛାତ୍ର କଂଗ୍ରେସ ଏହାର ଉଚିତ ଜବାବ ଦେବ ବୋଲି ସଭାପତି ଆଶୁତୋଷ ରାଉତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।