ନୂଆରମ୍ପାସ ପ୍ରାଥମିକ ସ୍କୁଲର ହେବ ନବୀକରଣ
ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ବଡରମ୍ପାସ ପଞ୍ଚାୟତ ଅନ୍ତର୍ଗତ ନୂଆରମ୍ପାସ ପ୍ରାଥମିକ ସ୍କୁଲର ନବୀକରଣ ପାଇଁ ସରକାରୀ ଚିଠି ଆସିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି । ଏହି ଗ୍ରାମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ ସରକାରୀ ଭାବେ ଥିବାବେଳେ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନଥିଲା ଓ ଗ୍ରାମରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ୧୯୮୯ ମସିହାରେ ସେ ସମୟର ବିଧାୟକ ପ୍ରାକ୍ତନ ମନ୍ତ୍ରୀ ଜୟଦେବ ଜେନା, ଗ୍ରାମବାସୀ ଓ ବୁଦ୍ଧିଜୀବୀଙ୍କ ଉଦ୍ୟମରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଥିଲା । ସରକାରଙ୍କ ନୀତିନିୟମ ଅନୁଯାୟୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ନୂତନ ଶିକ୍ଷକ ନିଯୁକ୍ତି ନଥିବାରୁ ଏହି ସ୍କୁଲର ଦୁଇ ଶିକ୍ଷକଙ୍କ ଅବସର ପରେ କିଛି ବର୍ଷ ହେବ ସ୍କୁଲଟି ବନ୍ଦ ହୋଇଯାଇଥିଲା । ଯାହାଫଳରେ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ୫୦ରୁ ଅଧିକ ଛାତ୍ରଛାତ୍ରୀ ନିକଟସ୍ଥ ବଡ଼ରମ୍ପାସ ସ୍କୁଲରେ ନାମ ଲେଖାଇବା ସହ ଦୂରତା ବୃଦ୍ଧି ହେତୁ କିଛି ଛାତ୍ରଛାତ୍ରୀଙ୍କ ପଢାରେ ଡୋରୀ ବନ୍ଧା ହୋଇଥିଲା । ନୂଆରମ୍ପାସ ଗ୍ରାମବାସୀ, ଅବସରପ୍ରାପ୍ତ ଦୁଇ ଶିକ୍ଷକ ପିତାମ୍ବର ଆୟଚ ଓ ଗଙ୍ଗାଧର ପୁହାଣ, ଅଭିଭାବକ, ବୁଦ୍ଧିଜୀବୀ ଓ ଗାଁର କିଛି ସଚେତନ ନାଗରିକ ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଗତ ୩ ମାସ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଇ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ପୂର୍ବ ସରକାର ଏହାକୁ ଧ୍ୟାନ ଦେଉନଥିବା ବେଳେ, ନୂତନ କରି ଲୋକଙ୍କ ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଦାୟିତ୍ୱ ନେବା ପରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ସହ ବିଚାର କରି ଏହାର ଆଶୁ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅନୁଧ୍ୟାନ କରାଯିବା ପରେ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ରାଜ୍ୟ ପ୍ରକଳ୍ପ ନିଦେ୍ର୍ଦଶିକା ଅନନ୍ୟା ଦାସ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଳା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷାକୁ ଚିଠି ଲେଖି ଏହାକୁ ଆନୁଷ୍ଠାନିକ ସ୍ୱୀକୃତି ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ଫଳରେ ଏବେ ପ୍ରାଥମିକ ବିଦ୍ୟାଳୟଟି ନବୀକରଣ ହେବା ସହ ଏଠାରେ ପ୍ରଥମରୁ ଅଷ୍ଟମ ଯାଏ ଛାତ୍ରଛାତ୍ରୀମାନେ ଗାଁ ସ୍କୁଲରେ ଶିକ୍ଷାଲାଭ କରିପାରିବାର ସୁଯୋଗ ସୃଷ୍ଟି ହୋଇଛି । ଲୋକଙ୍କ ସରକାର ଗାଁ ର ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ଏଭଳି ଏକ ମହତ ପଦକ୍ଷେପ ଗ୍ରହଣ କରିଥିବାରୁ ଗାଁର ସୁଦାମ ଚରଣ ଖୁଣ୍ଟିଆ, ବାଳ ମୁକୁନ୍ଦ ନାୟକ, ପ୍ରଦୁ୍ୟମ୍ନ ଧଳ, ସୁରେନ୍ଦ୍ର ସେନାପତି, ମଧୁସୂଦନ ରାଉତ, ଭାଗିରଥୀ ଖୁଣ୍ଟିଆ, ଶରତ ଚନ୍ଦ୍ର ନାୟକ, ଶେଖର ସା, ଗୋପାଳ ଚନ୍ଦ୍ର ରାଉତ, ସୁଦର୍ଶନ ଜେନା, ନାରାୟଣ ଧଳ, ଶାନ୍ତନୁ ଖୁଣ୍ଟିଆ, ସୁଶାନ୍ତ ସନ୍ଦିବିଗ୍ରହ, ଗଣେଶ୍ୱର ରାଉତ, ପ୍ରବୀର ନାୟକ, ପ୍ରମୋଦ ସେନାପତି, ନରହରି ସେନାପତି ପ୍ରମୁଖ କେନ୍ଦୁଝର ମାଟିର ସନ୍ତାନ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦୁଝର ସାଂସଦ ଅନନ୍ତ ନାୟକ ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ସହଯୋଗ କରିଥିବା କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।