ଠକେଇ,୨ ଦମ୍ପତି ଗିରଫ

 ହିଞ୍ଜିଳିକାଟୁ: ସଉଦା ଦୋକାନରୁ ସମ୍ପର୍କ । ପରେ ଭାବର ଆଦାନ ପ୍ରଦାନ  । ସମ୍ପର୍କ ଗଭୀର ହେବା ପରେ ସଉଦା ବାବଦକୁ ୨ଲକ୍ଷ ଟଙ୍କା ବକେୟା । ବକେୟା ଟଙ୍କା ସୁଝିନପାରି ଘରବାରି ଜାଗା ଦେବାକୁ କହି ବିଶ୍ୱାସ ଜନ୍ମାଇଥିଲେ  । ପରେ ଭୁବନେଶ୍ୱରରୁ ଆସି ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମକୁ ଆସି ଭଡାସୂତ୍ରରେ ଘରେ ରହିଥିଲେ ୨ ଦମ୍ପତି  । କିଛି ଦିନ ପରେ ଚତୁରତାର ସହ ଚାକିରି କରାଇଦେବା ନା’ରେ ଲୋକଙ୍କୁ ଠକି ନେଇଥିଲେ  । ୧୧ ଜଣଙ୍କ ଠାରୁ ପ୍ରାୟ ୧୮.୭୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ ସେମାନେ ।  ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ବୁଲୁ ଜେନା ଭୁବନେଶ୍ୱର ସାଲିଆ ସାହିରେ ଏକ ତେଜରାତି ଦୋକାନ କରିଥିଲେ । ସେହି ସମୟରେ ଭୁବନେଶ୍ୱର ସହିଦନଗର ଥାନା ପଥରବନ୍ଧ ଅଞ୍ଚଳର ବିପିନି ପାତ୍ର ବୁଲୁଙ୍କ ସହ ଭାବ ବିନିମୟ କରିଥିଲେ  । କିଛି ଦିନ ପରେ ବୁଲୁଙ୍କ ତେଜରାତି ଦୋକାନରୁ ବିଭିନ୍ନ ସମୟରେ ପ୍ରାୟ  ୨ଲକ୍ଷ ଟଙ୍କାର ସଉଦା କିଣିଥିଲେ । ବୁଲୁ ବକେୟା ଟଙ୍କା ମାଗିବାରୁ ବିପିନି ଓ ତାଙ୍କର ଜଣେ ସହଯୋଗୀ ବାଲେଶ୍ୱର ଜିଲ୍ଲା ନିଳଗିରି ଅଞ୍ଚଳୀ ଗଣେଷ ନାୟକଙ୍କ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ ଏକ ଘରବାରି ଜମି ରହିଥିବା ବେଳେ ତାକୁ ବିକ୍ରୟ କରି ବକେୟା ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ  । ପରେ ଗଣେଷ, ବିପିନି ଓ  ଉଭୟଙ୍କ ସ୍ତ୍ରୀ ମିଶି  ଭୁବନେଶ୍ୱରରୁ ଆସି ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ଭଡା ସୂତ୍ରରେ ଏକ ଘରେ ରହିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେଏକ ମାମଲା ରୁଜୁ କରି ୨ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି ।