ବିପର୍ଯ୍ୟୟ ସୁପରିଚାଳନା ନେଇ ଟେବୁଲ ଟପ ଏକ୍ସରସାଇଜ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ପ୍ରାକୃତିକ ବିପର୍ଯ୍ୟୟର ସୁ ପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ସମ୍ବିତ୍ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା । ଏଥିପ୍ରତି ସତର୍କ ହେବାସହ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆବଶ୍ୟକୀୟ ସୁବିଧା ଓ ସୁଯୋଗ ଏବଂ ନୂତନ ଉପକରଣର ବ୍ୟବହାର ଜିଲ୍ଲାକୁ ମଜବୁତ୍ କରିପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଆସନ୍ତାକାଲି ୧୯ ଜିଲ୍ଲା ରେ ଥିବା ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ ଅନୁଷ୍ଠିତ ହେବ । ଏହି ମକ୍ ଡ୍ରିଲରେ ବାତ୍ୟା ଆଶ୍ରୟସ୍ଥଳୀ ର ସମସ୍ତ ସଦସ୍ୟ, ପରିଚାଳନା କମିଟି, ସ୍ଥାନୀୟ ପ୍ରତିନିଧି ମାନେ ଅଂଶଗ୍ରହଣ କରିବେ । ଏହି ବୈଠକରେ ଯୋଗଦେଇ ଓସଡମାର ଜି.ଏମ୍ ଧରଣୀଧର ପ୍ରଧାନ କହିଲେ ଯେ, ବିପର୍ଯ୍ୟୟ ପାଇଁ ଆମେ ପ୍ରାଥମିକ ସ୍ତରରେ ସଜାଗ ରହିବା । ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ଆନ୍ତଃ ବିଭାଗୀୟ ସମନ୍ୱୟ ଓ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ । ବୈଠକରେ ଜିଲ୍ଲା ଆପାତ୍ତକାଳୀନ ଅଧିକାରୀ ସୁଶ୍ରୀ ଅନିଶା ଦାସ ପୌର ପରିଷଦ, ସ୍ୱାସ୍ଥ୍ୟ, ଶିକ୍ଷା, ଅଗ୍ନିଶମ, ଟିପିସିଓଡିଏଲ୍ ଓ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।