ବିବାହ ଶୋଭାଯାତ୍ରା ଆକ୍ରମଣ ଘଟଣାରେ ୪ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ବିବାହ ଶୋଭାଯାତ୍ରାରେ ଆକ୍ରମଣ ଘଟଣାରେ ହିଞ୍ଜିଳିକାଟୁ ପୁଲିସ ଗୁରୁବାର ବାଇକ ଓ କାତି ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି  ।   
ସୂଚନା ପ୍ରକାରେ, ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଯୁବକ ବାହାଘର ସକାଶେ  ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମକୁ ଶୋଭାଯାତ୍ରାରେ ଯାଉଥିଲେ । ସାମାନ୍ୟ ବଚସାରୁ ଯୁକ୍ତିତର୍କ ପରେ ଗଣ୍ଡଗୋଳ ହୋଇଥିଲା । ଫଳରେ ପରିସ୍ଥିତି ଧୀରେ ଧୀରେ ଉଗ୍ରରୂପ ଧାରଣ କରିଥିଲା । ଶେଷରେ ସହଯୋଗୀ ମିଶି ଖଣ୍ଡାରେ ହଠାତ୍ କାହ୍ନାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଯୁବକଙ୍କ ହାତ, ମୁଣ୍ଡ ଓ ଛାତିରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତ ଜୁଡୁବୁଡୁ ହୋଇ ଯୁବକ ଜଣଙ୍କ ଘଟଣାସ୍ଥଳରେ ପଡି ଯାଇଥିଲେ । ଯୁବକ ଜଣଙ୍କ ତଳେ ପଡିଯିବା ପରେ ଆକ୍ରମଣକାରୀ ଗାଡି ଚାଳକ ଓ ସହଯୋଗୀମାନେ ଶୋଭାଯାତ୍ରା ଗାଡ଼ିକୁ ସାଙ୍ଗରେ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଅଭିଯୋଗ ଭିତ୍ତିରେ ଆକ୍ରମଣ ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ଯୁବକମାନେ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ସାନସାହିର ଚନ୍ଦନ ଚୌଧୁରୀ, ତାଙ୍କ ସାନ ଭାଇ କାହ୍ନୁ ଚୌଧୁରୀ,   ପାଟଣା ସାହିର ରାମଚନ୍ଦ୍ର ସେନାପତି  ଓ ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମର ଗଣେଷ ପୃଷ୍ଟି  । ଗିରଫ ଯୁବକମାନଙ୍କ ଠାରୁ ଶୋଭାଯାତ୍ରାରେ ବ୍ୟବହୃତ ଶୋଭାଯାତ୍ରା ଗାଡି ଓ ଆକ୍ରମଣରେ ବ୍ୟବହୃତ ଏକ ରକ୍ତଭିଜା କାତିକୁ ପୁଲିସ ଜବତ କରିଛି । ବୁଧବାର ଗିରଫ ସମସ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସଙ୍କ ଠାରୁ ପ୍ରକାଶ ।