ଚୈତ୍ର ପର୍ବ
ଆସିକା : ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ତଥା ଆସିକା ବିଜେ ମା’ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ଚୈତ୍ର ପର୍ବ ଶେଷ ମଙ୍ଗଳବାରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତଙ୍କ ସମାଗମ ହୋଇଥିଲା । ନିଜ ସନ୍ତାନଙ୍କ ପ୍ରଥମ ଚୁଟି ଏହି ପୀଠରେ ଏହି ପକାଇଲେ ପିଲାଙ୍କ ଅଭିଷ୍ଠ ସିଦ୍ଧି ପ୍ରାପ୍ତ ହୁଏ ବୋଲି କେଉଁ ଆବାହମାନ କାଳରୁ ଏହି ପ୍ରଥା ଚାଲି ଆସିଛି । ତେଣୁ ପୀଠରେ ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାରରେ ଭକ୍ତମାନେ ଆସି ପିଲାଙ୍କୁ ମୁଣ୍ଡନ କରି ମା’ଙ୍କ ପ୍ରିୟ ପଞ୍ଚାମୃତ, ଭୋଗ ରାଗ କରିଥାନ୍ତି । ପିଲାଙ୍କ ସକାଶେ ମା’ଙ୍କ ଆଶିଷ ଭିକ୍ଷା କରି ପୀଠରେ ନିଜ ପରିବାର ସହ ଭୋଜିଭାତ ରାନ୍ଧି ପ୍ରସାଦ ସେବନ କରିଥାନ୍ତି । ମା’ଙ୍କ ସ୍ୱତନ୍ତ୍ର ପୂଜା ବିଧି ପ୍ରକାରେରେ ପ୍ରାତଃ କାଳରେ ଦୁଆରଫିଟା ନୀତି, ମହାସ୍ନାନ, ବେଶ, ଆଳତୀ , ବାଳଭୋଗ ପରେ ମା’ଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ମଧ୍ୟାହ୍ନ ଭୋଗ, ପହଡ଼ ସନ୍ଧ୍ୟା ଆଳତୀ ଏବଂ ରାତ୍ର ଭୋଗ ପରେ ଠାକୁରାଣୀଙ୍କ ବିଜେ ପ୍ରତିମା ପିତଳ ସିଂହ ବାହାନ ଉପରେ ବିରାଜମାନ ହୋଇ ନଗର ପରିକ୍ରମା ଯାଆନ୍ତି । ଘଣ୍ଟଘଣ୍ଟା, ଶଙ୍ଖ, ମହୁରୀ ସହିତ ବାଦ୍ୟ ବାଜଣାରେ ମା’ଙ୍କ ନଗର ପରିକ୍ରମା ହୁଏ । ସେତେବେଳେ ଭକ୍ତମାନେ ନିଜ ଘରର ଦାଣ୍ଡ ଦ୍ୱାରରେ ପୂର୍ଣ୍ଣ କୁମ୍ଭ ବାଢ଼ି ଦ୍ୱୀପ ପ୍ରଜ୍ୱଳନ କରି ମା’ଙ୍କ ପ୍ରିୟ ଭୋଗପଣା ଅର୍ପଣ କରନ୍ତି । ଏହି ନଗର ପରିକ୍ରମାରେ ମା’ ଖମ୍ବେଶ୍ୱରୀ ପାଟଣା, କୋର୍ଟଛକ, ବିନୋବା ମାର୍ଗ, ଲକ୍ଷ୍ମୀ ବଜାର, ବସ୍ଷ୍ଟାଣ୍ଡ, ହରିହର ନଗର ଦେଇ ଶେଷରେ ମା’ ଗମ୍ଭୀରା ବିଜେ କରନ୍ତି । ଏହି ଦିନ ତମାମ କାର୍ଯ୍ୟକ୍ରମକୁ ସୁପରିଚାଳନା ସକାଶେ କମିଟି ପକ୍ଷରୁ ସଭାପତି ସତ୍ୟନାରାୟଣ ସ୍ୱାଇଁ, ଯାତ୍ରା କମିଟି ସଭାପତି ନିମେଇ ପାଣିଗ୍ରାହୀ, ମୁଖ୍ୟପୂଜକ ମନୋଜ ମୁନୀ ତତ୍ତ୍ୱାବଧାନରେ ପୂଜାନୀତି ସମାପନ ହୋଇଥିଲା । ଏଥିରେ ପରିଚାଳନା କମିଟି ସଦସ୍ୟ ସଚ୍ଚିଦାନନ୍ଦ ଖଟେଇ, ପିଣ୍ଟୁ ପ୍ରଧାନ, ସନ୍ତୋଷ ପାଣିଗ୍ରାହୀ, ଟିଙ୍କୁ ସ୍ୱାଇଁ, ଦିପୁ ପ୍ରଧାନ, ସେବାୟତ ଓ ବାରିକମାନେ ସହଯୋଗ କରିଥିଲେ ।