ଆଇନ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର: ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ କେନ୍ଦୁଝରଠାରେ ଅବସ୍ଥିତ ଗାୟତ୍ରୀ ଆବାସିକ ମହାବିଦ୍ୟାଳୟ ପରିସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦାରିର୍ଦ୍ୟ ଦୂରୀକରଣ ଯୋଜନା ତଥା ମୋଟର ଯାନ ଦୁର୍ଘଟଣା, ନୀତିନିୟମ ଓ କ୍ଷତିପୂରଣ ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ଭାରପ୍ରାପ୍ତ ଅଧ୍ୟକ୍ଷା ରଶ୍ମିତା ଦଳାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧିକରଣ ସଚିବ ମାମୀ ବେହେରା ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଦାରିର୍ଦ୍ୟ ଦୂରୀକରଣ ଯୋଜନା ଗୁଡିକରୁ ସାଧାରଣ ଜନତା କିଭଳି ଉପକୃତ ହୋଇପାରିବେ ଓ ଯୋଗ୍ୟ ହିତାଧିକାରୀ ଚୟନ ତଥା ମୋଟର ଯାନ ଚଳାଇବାର ନୀତିନିୟମ ଓ ସେଥିରେ ପୀଡିତ, ପୀଡିତାଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ ସ୍ଥାୟୀ ଲୋକ ଅଦାଲତ (ଲୋକ ଉପଯୋଗୀ ସେବା) ଉପରେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷୟ କୁମାର ଚକ୍ର ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଦଶ୍ୟ, ଆଇନସେବା ପ୍ରଦାନକୁ ଗୁରୁତ୍ୱ ଓ ପ୍ରାଧିକରଣର କାର୍ଯ୍ୟାବଳୀ ବର୍ଣ୍ଣନା କରି ସଭା ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ତରୁଣ କୁମାର ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ଶମ୍ଭୁନାଥ ମହାରଣା, ସୁଦର୍ଶନ ଦେହୁରୀ, ମୃତୁ୍ୟଞ୍ଜୟ ଦାସ, ପ୍ରାଧିକରଣର ଦେବବ୍ରତ କୁମାର ଦାସ, ମାନସ ରଞ୍ଜନ ନାୟକ ଶିବିର ପରିଚାଳନା କରିଥିବାବେଳେ ମହାବିଦ୍ୟାଳୟର ଛାତ୍ରୀ ଦିବ୍ୟରଞ୍ଜନୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।