ହତ୍ୟା ଧମକ ମାମଲାରେ ଜଣେ ଗିରଫ

 ବାରିପଦା  : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ର ଓ ତାଙ୍କ ଶାଳକ ସପନ କୁମାର ଦେବତାଙ୍କୁ ହତ୍ୟା ଧମକ ଘଟଣାରେ କାର୍ଯ୍ୟନୁଷ୍ଠାନ ନେଇଛି ଭଞ୍ଜପୁର ପୁଲିସ । ପୁଲିସ ସପନଙ୍କଠାରୁ ଅଭିଯୋଗ ପାଇବା ପରେ ଶୁଳିଆପଦା ଥାନା ଅଞ୍ଚଳର ତପନ କୁମାର ଦେଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ କୋର୍ଟରେ ତାଙ୍କ ଜାମିନ ମଞ୍ଜୁର ହୋଇଥିବ ଜଣାପଡିଛି । ମିଳିଥିବା ସୂଚନା ମୁତାବକ ମନ୍ତ୍ରୀଙ୍କ ଶାଳକ ସପନ କୁମାର ଦେବତାଙ୍କ ବାରିପଦା ବଜାରରେ ବୁଲୁଥିବାବେଳେ ଏକ ନମ୍ବରରୁ କଲ ଆସିଥିଲା । ଅଜଣା ଯୁବକ ଜଣକ ତାଙ୍କୁ ଗାଳିଗୁଲଜ କରିଥିଲେ । ଏହା ସହିତ ମନ୍ତ୍ରୀ ଡା ମହାପାତ୍ରଙ୍କୁ ହତ୍ୟା କରିବ ବୋଲି କହିଥିଲା । ଶବ ଦାହ ନିମନ୍ତେ କାଠ ଯୋଗାଡ଼ କରିବାକୁ ଧମକ ଦେଇ କହିଥିଲା । ମନ୍ତ୍ରୀ ଡା ମହାପାତ୍ର ଚକଶୁଲିଆପଦା ଅଞ୍ଚଳରେ ବହୁତ ବୁଲୁଥିବା ବେଳେ ଗତିବିଧି ଉପରେ ନଜର ରଖିଛି ବୋଲି କହିଥିଲା । ଆବଶ୍ୟକ ପଡ଼ିଲେ ଉଭୟଙ୍କୁ ହତ୍ୟା କରି ଗୋଟିଏ କୋକେଇରେ ନେଇ ଶବଦାହ କରିବ ବୋଲି ଫୋନରେ ଧମକ ଦେଇଥିଲେ । ଏହାପରେ ଉକ୍ତ ଫୋନ ନମ୍ବରଟି ବ୍ଲକ କରି ଦେଇଥିଲା । ଏନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରି ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବା ଆଇଆସି ଅଜୟ ଜେନା ପ୍ରକାଶ କରିଛନ୍ତି  ।