ପଥର ଖାଦାନରୁ ମେସିନ୍ ଜବତ, ୩ ଗିରଫ
ସୋର : ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ଖଞ୍ଜାମାହାଲ ପାହାଡ଼ର ଜଙ୍ଗଲ ଜମିରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ଗୋଟିଏ କମ୍ପ୍ରେସର ଏବଂ ଏକ ହିଟାଚି ମେସିନକୁ ସୋର ପୁଲିସ ଜବତ କରିଥିବାବେଳେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୋର ଥାନାଧିକାରୀ ସୁଦୀପ୍ତ ସାହୁଙ୍କ ନେତୃତ୍ୱରେ ସୋର ଥାନା ଏଏସଆଇ କେଶବ ବେଶ୍ରା ସଦଳବଳେ ଏକ ଟିମ୍ ସହ ଚାରି ନମ୍ବର ଖାଦାନ ଅଞ୍ଚଳରେ ଚଢ଼ାଉ କରିଥିଲେ । ଏହି ସମୟରେ ଗୋଟିଏ କମ୍ପ୍ରେସର ଜଙ୍ଗଲ ଜମିରେ ବେଆଇନ ଭାବେ ପଥର ଫଠେଇବା ପାଇଁ ପ୍ରସ୍ତୁତି କରୁଥିବାବେଳେ କମ୍ପ୍ରେସରକୁ ଜବତ କରିବା ସହିତ ସେଠାରେ କାର୍ଯ୍ୟ କରୁଥିବା ଏକ ହିଟାଚିକୁ ମଧ୍ୟ ଜବତ କରିଥିଲେ । ଏ ବାବଦରେ ସୋର ଥାନାରେ ୩୫୬/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଗତକାଲି ରାତିରେ ଏଥିରେ ସମ୍ପୃକ୍ତ ଥିବା ରେମୁଣା ବାଡୁଅ ଗ୍ରାମର ଧର୍ମେନ୍ଦ୍ର ମଲିକ (୫୪), ଖୋର୍ଦ୍ଧା ଜିଲ୍ଲା ତାତୁମ୍ବା ଗ୍ରାମର ବିଶ୍ୱଜିତ ମଲ୍ଲ (୨୧) ଏବଂ ଗୋବିନ୍ଦପୁର ଗ୍ରାମର ସୌମେନ୍ଦ୍ର ମଲିକ (୨୪)କୁ ଗିରଫ କରାଯାଇଥିଲା । ଏବଂ ପରେ ସୋର ମେଡିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।