ଗୋଚାଲାଣ: ୮ ଗାଈ ଉଦ୍ଧାର, ୨ ଗିରଫ
କାକଟପୁର : କାକଟପୁର ଏବଂ ଅସ୍ତରଙ୍ଗ ଅଞ୍ଚଳରେ ଦିନକୁ ଦିନ ବେଆଇନ ଗୋଚାଲାଣ ବଢ଼ିବାରେ ଲାଗିଛି । କିଛି ଅସାଧୁ ଗୋ ଚାଲାଣକାରୀ ପୁଲିସ ଆଖିରେ ଧୂଳି ଦେଇ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ କାକଟପୁର ପୁଲିସ ସେମାନଙ୍କୁ କାବୁ କରି ୫ଟି ଗାଈ ଉଦ୍ଧାର କରି ପୁରୀ ଗୋଶାଳାକୁ ପଠାଇଛି । ସୂଚନା ଅନୁଯାୟୀ ଆଜି ସକାଳ ୭ରେ କାକଟପୁର ଥାନା ଅଧିନସ୍ଥ ଆନନ୍ଦ ବଜାର ଛକରୁ ଦହିଖିଆ ଗ୍ରାମର ଲଷ୍ମୀଧର ପରିଡାଙ୍କ ପୁଅ ରଞ୍ଜିତ ପରିଡା, ବୟସ (୪୦) ନିଜ ଟାଟାଏସି ଗାଡି ନମ୍ବର (ଓଡ଼ି୦୨ବିଜେ୦୧୫୨) ଯୋଗେ ୫ଟି ଗାଈକୁ ଚାଲାଣ କରୁଥିବା ସମୟରେ ଥାନା ଏସଆଇ ଗୌରୀଶଙ୍କର ସେଠୀ, ଏଏସଆଇ ଜୟନ୍ତୀ ସାହୁ, ପ୍ରମୋଦ କୁମାର ହାତୀ ଏବଂ କନେଷ୍ଟବଳ ବବ୍ରୁବାହାନ ମହାନ୍ତି ଚଢ଼ାଉ କରି ଗାଡି ସହିତ ଅଭିଯୁକ୍ତକୁ ଧରି ଥାନାକୁ ଆଣିଥିଲେ । ଏ ସଂକ୍ରାନ୍ତରେ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ସେହିପରି ଅସ୍ତରଙ୍ଗ ଥାନା ଏଏସଆଇ ପ୍ରଶାନ୍ତ ସାମନ୍ତରାୟ ଆଜି ସକାଳେ ୱାରେଣ୍ଟି ଅପେରସନ କରୁଥିବାବେଳେ ଅସନ ନଈବନ୍ଧରୁ କେନ୍ଦ୍ରାପଟି ଅଞ୍ଚଳ ଗ୍ରାମର ମଙ୍ଗରାଜ ମହାପାତ୍ର (୪୯) ନିଜ ଟାଟା ଏସି ଗାଡ଼ିରେ ୩ଟି ଗାଈ ବେଆଇନ ଚାଲାଣ କରୁଥିବା ସମୟରେ ପୁଲିସ ହାବୁଡ଼ରେ ପଡ଼ିଥିଲେ । ଏ ସଂକ୍ରାନ୍ତରେ ଅସ୍ତରଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ବାରମ୍ବାର ଗୋଚାଲାଣ ସଂକ୍ରାନ୍ତରେ ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରେ ଯେଉଁ ଗୋ ମାଲିକମାନେ ଗୋମାତାଙ୍କୁ ପାଳିବାରେ ଅକ୍ଷମ ହୋଇ ସେମାନଙ୍କୁ କଂସେଇ ମାନଙ୍କୁ ବିକ୍ରି କରୁଛନ୍ତି, ସେମାନେ ଗୋମାତାମାନଙ୍କୁ ନ ବିକ୍ରି କରି ଆଇଆଇସିଙ୍କୁ ଜଣାଇଲେ ସେ ତାଙ୍କ ନିଜ ଖର୍ଚ୍ଚରେ ଗୋମାତା ମାନଙ୍କୁ ପୁରୀ ଗୋଶାଳାକୁ ପଠେଇବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।