ଗୁଣି ଗାରେଡି ସନେ୍ଦହରେ ହତ୍ୟା, ୨ ଗିରଫ

 ନବରଙ୍ଗପୁର/ଉମରକୋଟ : ଗୁଣି ଗାରେଡ଼ି ସନେ୍ଦହରେ ଜଣେ ୬୦ ବର୍ଷ ବୟସ୍କା ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗରେ ୨ମହିଳା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଉମରକୋଟ ପୁଲିସ । ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ସେମଳା ଗ୍ରାମ ପଞ୍ଚାୟତର ଆଦିବାସୀ ବଡ଼ବାସିନୀ ଗ୍ରାମରେ ଗତ ୨୯/୨/୨୪ରେ ଏହି ଘଟଣା ଘଟିଥିଲା । ଗ୍ରାମର ଚମରିନ ଭତ୍ରା ଗୁଣି ଗାରେଡ଼ି କରିଥିବା ଅଭିଯୋଗ କରି ସେହି ଗ୍ରାମର ପଦଲାମ ଗଣ୍ଡ, ପରମେଶ୍ୱର ଗଣ୍ଡ, ଡାକ ଗଣ୍ଡ, ଚମରୁ ଗଣ୍ଡ, ଗୋମତୀ ଗଣ୍ଡ ଓ ମଦନା ଗଣ୍ଡ ମିଶିକି ଚମରିନ ଭତ୍ରା, ତାଙ୍କ ଝିଅ କ୍ଷେମା ଭତ୍ରା ଓ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଜୋର ଜବରଦସ୍ତି କରି ଟାଣି ଟାଣି ନେଇ ମଦନା ଗଣ୍ଡଙ୍କ ଘରକୁ ନେଇ ଟାଙ୍ଗିଆରେ ଚୋଟ ମାରିଥିଲେ । ଘଟଣା ସ୍ଥଳରେରେ ହିଁ ଚମରିନ ଭତ୍ରାର ମୃତୁ୍ୟ ଘଟିଥିଲା । ଏବଂ ଝିଅ କ୍ଷେମାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି ଉମରକୋଟ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା । ଏଥିନେଇ ଖେମା ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଉମରକୋଟ ପୁଲିସ ଗୋମତୀ ଗଣ୍ଡ ଓ ମଦନା ଗଣ୍ଡଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏଥିପୂର୍ବରୁ ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିସାରିଛି ।