ବେଙ୍ଗଲରେ ଗୋଷ୍ଠୀ ସଂଘର୍ଷ ୪୦ ଗିରଫ

 ଚବିଶପ୍ରଗଣା : ପଶ୍ଚିମବଙ୍ଗ ରାଜ୍ୟର ଚବିଶପ୍ରଗଣା ଜିଲ୍ଲାରେ ସରକାରୀ ଜାଗାରେ ବେଆଇନ ନିର୍ମାଣକୁ ନେଇ ଦୁଇ ଦଳ ମଧ୍ୟରେ ବଡ଼ ଧରଣର ଗୋଷ୍ଠୀ ସଂଘର୍ଷ ହୋଇଛି । ପୁଲିସ ସହ ଧସ୍ତାଧସ୍ତି ଓ ଢେଲା ପଥର ମାଡ଼ରେ ଉଭୟ ଗୋଷ୍ଠୀର ସଦସ୍ୟଙ୍କ ସମେତ ୫ରୁ ଊଦ୍ଧ୍ୱର୍ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଅଧୀନରେ ପୁଲିସ୍ ୭ଟି ମାମଲା ରୁଜୁ କରିବା ସହ ମାମଲା ଆଧାରରେ ଉଭୟ ଗୋଷ୍ଠୀର ୪୦ଜଣଙ୍କୁ ପୁଲିସ୍ ଗିରଫ କରିଛି ।
ଚବିଶପ୍ରଗଣା ଜିଲ୍ଲାର ରବୀନ୍ଦ୍ରନଗର ଥାନା ଅଧୀନ ମହେଶତାଲା ଅଞ୍ଚଳରେ ଗତକାଲି ମଧ୍ୟାହ୍ଣରେ ଏକ ବିବାଦୀୟ ସରକାରୀ ଜମିରେ ବେଆଇନ ଦୋକାନ ନିର୍ମାଣ ଓ ଚାରାରୋପଣକୁ ନେଇ ସ୍ଥାନୀୟ ଦୁଇଦଳ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । କ୍ରମେ ଏହି ଗଣ୍ଡଗୋଳ ଭୀଷଣ ସଂଘର୍ଷର ରୂପ ନେଇଥିବା ବେଳେ ଉଭୟ ଗୋଷ୍ଠୀ ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ । ଘଟଣାକୁ ନେଇ ସେଠାରେ ପୁଲିସ୍ ଫୋର୍ସ ମୁତୟନ ହୋଇଥିବା ବେଳେ ପୁଲିସ୍-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ରାତିତମାମ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ପୁଲିସ୍ ୪୦ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡ଼ିଛି । ସେପଟେ ଘଟଣାକୁ ନେଇ କୌଣସି ଗୁଜବରେ ବିଶ୍ୱାସ କରି ସଂଘର୍ଷକୁ ନ ବଢ଼ାଇବା ପାଇଁ ପୁଲିସ୍ ‘ଏକ୍ସ’ ଜରିଆରେ ଲୋକଙ୍କୁ ନିବେଦନ କରିଛି । ଏହାସହ ଆଇନକୁ ହାତକୁ ନନେବା ପାଇଁ ଚେତାବନୀ ଦିଆଯାଇଛି । ଅପରପକ୍ଷେ ପରିସ୍ଥିତିକୁ ଆୟତ କରିବା ପାଇଁ ଏଠାରେ କେନ୍ଦ୍ରୀୟ ସୁରକ୍ଷା ବଳକୁ ନିୟୋଜିତ କରିବା ପାଇଁ ବିରୋଧୀ ବିଜେପି ପକ୍ଷରୁ ଦାବି କରାଯାଇଛି । ସେପଟେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ବିଜେପିକୁ କାଉଣ୍ଟର୍ ସ୍ୱରୂପ ଘଟଣା ପାଇଁ ବିଜେପିକୁ ଦାୟୀ କରିଛି । ନିଜର ନିର୍ବାଚନୀ ପ୍ରତିଛବିକୁ ମଳିନ ନ କରିବା ପାଇଁ ବିଜେପି ଏଭଳି କାଣ୍ଡରେ ସମ୍ପୃକ୍ତ ଥିବା ଟିଏମ୍ସି ଅଭିଯୋଗ କରିଛି ।