ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୩ ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ଘଟିଛି । ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ମଧ୍ୟରେ ଏହି ଗୁଳି ବିନିମୟ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ଜଣ ମାଓବାଦୀଙ୍କ ମର ଶରୀର ଘଟଣା ସ୍ଥଳରୁ ଜବତ ହୋଇଛି । ସୂଚନା ଅନୁଯାୟୀ ଛତିଶଗଡର ଭୈରମଗଡ ଅଞ୍ଚଳର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ମଧ୍ୟରେ ମାଓ ଦମନ ନିମନ୍ତେ ଯବାନ ମାନେ ତଲାସି ଅଭିଯାନ କରୁଥିବା ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ମାଓବାଦୀଙ୍କ ଭାରି କ୍ଷତି ହୋଇଥିବା ସହ ସେମାନେ ଯବାନଙ୍କ ସାମ୍ନା କରି ନପାରି ପଛ ଘୁଞ୍ଚା ଦେଇ ଜଙ୍ଗଲ ମଧ୍ୟରେ ଲୁଚି ଯାଇଥିଲେ । ଏହାପରେ ଅଞ୍ଚଳରେ ଯବାନ ମାନେ ତଲାସି ଅଭିଯାନ କରିବା ବେଳେ ୩ଜଣ ମାଓବାଦୀଙ୍କ ଶବ ମିଳିଥିବା ବେଳେ ତିନିଟି ବନ୍ଧୁକ ମଧ୍ୟ ଜବତ ହୋଇଛି । ଘଟଣା ସ୍ଥଳରେ ନିଜେ ବିଜାପୁର ଏସପି ଜିତେନ୍ଦ୍ର ଯାଦବ ଉପସ୍ଥିତ ରହି ଅପରେସନକୁ ପରିଚାଳନା କରିଥିବା ବେଳେ ସଂପୂର୍ଣ୍ଣ ଜଙ୍ଗଲକୁ ଘେରି ରହିଛନ୍ତି ଡିଆରଜି, ଏସଟିଏଫ ଓ ସିଆରପିଏଫ ଏବଂ କୋବ୍ରା ଜବାନ । ଘଟଣା ସ୍ଥଳରେ ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି ।