ମହିଳାଙ୍କୁ କୁକର୍ମ, ଅଗ୍ନିଶମ ଅଧିକାରୀ ଗିରଫ
ରାୟଗଡ଼ା : ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ କୁକର୍ମ ମାମଲାରେ ରାୟଗଡ଼ା ଟାଉନ ଥାନା ପୁଲିସ ଗିରଫ କରିଛି । ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି । ଜଣେ ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ କେସ୍ ନଂ ୨୫୫ରେ ମାମଲା ରୁଜୁ କରି ରମେଶ ବେହେରାଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ, ରାୟଗଡ଼ାରେ ପ୍ରାୟ ଦୁଇ ବର୍ଷ ହେଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ବେହେରା ଜନୈକ ବିବାହିତ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ଏଥି ସହିତ ତାଙ୍କୁ ନିର୍ଯାତନା ମଧ୍ୟ ଦେଇ ଆସୁଥିଲେ । ମହିଳା ଜଣକ ଦୁଇଟି ସନ୍ତାନର ମାଆ ଅଟନ୍ତି । ତେବେ ଏ ନେଇ ମହିଳା ଜଣଙ୍କ ରବିବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।