ପ୍ଲାଷ୍ଟିକ୍ ଯୁଗରେ ରୋଜଗାର ଯୋଗାଉଛି ବାଉଁଶ : ସାମଗ୍ରୀ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ମେଦ୍ରିସାହି ବାସିନ୍ଦା
ମାଲକାନଗିରି : ଯୁଗ ଥିଲା ଲୋକେ ଜଙ୍ଗଲରୁ କାଠ ବାଉଁଶ ସଂଗ୍ରହ କରି ନିଜର ଜୀବନ ଜୀବିକା ନିର୍ବାହ କରୁଥିଲେ । ଏପରିକି ଏହି ସାମଗ୍ରୀ ସବୁ ଲୋକଙ୍କ ଘର କରଣା ଉପକରଣ ଓ ଗୃହ ନିର୍ମାଣ ସହ ଅନ୍ୟାନ୍ୟ ସମୟରେ ନିତ୍ୟ ବ୍ୟବାହରରେ ଲଗାଉଥିଲେ । ବର୍ତ୍ତମାନ କିନ୍ତୁ ଯୁଗ ବଦଳିଥିବା ବେଳେ ପ୍ଲାଷ୍ଟିକ ସାମଗ୍ରୀ ଏହି ଜଙ୍ଗଲଜାତ କାଠ ବାଉଁଶର ସ୍ଥାନ ନେବାରେ ଲାଗିଛି । ଫଳରେ ଏହି ବାଉଁଶ ଓ କାଠ ସାମଗ୍ରୀର ଚାହିଦା କମିବା ବେଳେ ଏହାର ସ୍ଥାନ ନେଇଛି ପ୍ଲାଷ୍ଟିକ ଓ ଲୁହା । ତେବେ ବାଉଁଶରୁ ସାମଗ୍ରୀ ତିଆରି ବୃତ୍ତି ଲୋକଙ୍କୁ ପୂର୍ବରୁ ଭଲ ରୋଜଗାର ଯୋଗାଇ ଆସୁଥିବା ବେଳେ ବର୍ତ୍ତମାନ କିନ୍ତୁ ଏହାର ଚାହିଦା କମୁଥିବାରୁ ଅନେକ ଏହି ବୃତ୍ତିକୁ ଛାଡି ଦେଇଛନ୍ତି । ଏହାରି ମଧ୍ୟରେ କିଛି ପରିବାର ଆଜି ବି ଏହାକୁ ନିଜର କୌଳିକ ବୃତ୍ତି ଭାବେ ବଞ୍ଚାଇ ରହିଛନ୍ତି । ଏହି ବାଉଁଶ ବୃତ୍ତିକୁ ବଞ୍ଚାଇ ରଖିଥିବା କିଛି ପରିବାର ମାଲକାନଗିରି ସହରରେ ରହିଥିବା ଜାତୀୟ ରାଜ ପଥ ମେଦ୍ରୀ ସାହିରେ ରହି ଆଜି ମଧ୍ୟ ଏହାକୁ ନିଜର ମୁଖ୍ୟ ବୃତ୍ତି ଭାବେ କାର୍ଯ୍ୟ କରି ଆସୁଛନ୍ତି ।
ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ପ୍ରାୟ ୨୨ଟି ମେଦ୍ରୀ ସଂପ୍ରଦାୟର ପରିବାର ଏଠାରେ ବସବାସ କରୁଥିବା ସହ ନିଜର କୌଳିକ ବୃତ୍ତି ବାଉଁଶରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ନିଜ ପରିବାର ପ୍ରତିପୋଷଣ କରିଆସୁଛନ୍ତି । ଏମାନେ ପୂର୍ବରୁ ସହଜରେ ବାଉଁଶ ପାଉଥିବା ବେଳେ ବର୍ତ୍ତମାନ ଗାଁକୁ ଗାଁ ବୁଲି କିମ୍ବା ଆଖପାଖ ଅଞ୍ଚଳରେ ଥିବା ବାଉଁଶ ଗଛକୁ କିଣିଥାନ୍ତି । ପରେ ପରିବାର ଲୋକ ମିଶି ବାଉଁଶ ଗଛକୁ ଛୋଟ ଛୋଟ ଆକାରରେ କାଟି କୌଶଳକ୍ରମେ ଛୋଟ ବଡ଼ କଟା ବାଉଁଶରେ ବିଭିନ୍ନ ପ୍ରକାର ସାମଗ୍ରୀ, ଯଥା ପାଛିଆ, ଡ଼ଲା, ଚାଞ୍ଚ, ଧାନ, ଚାଉଳ ରଖିବା ପାଇଁ ବଡ଼ ବଡ଼ ଡଲି ଆଦି ପ୍ରସ୍ତୁତ କରି ନିକଟସ୍ଥ ବଜାରରେ ବିକ୍ରି କରି ରୋଜଗାର କରିଥାନ୍ତି । ବିଶେଷ କରି ବର୍ଷକର ଧାନକୁ ସୁରକ୍ଷିତ ରଖିବା ପାଇଁ ବାଉଁଶରେ ତିଆରି ପାଲ, କୃଷିଜାତୀୟ ଦ୍ରବ୍ୟ ସାଇତି ରଖିବା ପାଇଁ ଟପଲି, କୁଲା ଭଳି ବାଉଁଶ ସାମଗ୍ରୀ ତିଆରି କରିଥାନ୍ତି । ସେହିପରି ମାଛ ଧରିବା ପାଇଁ ବିସର, ଦାନ୍ଦର, ଥାପା ଏବଂ ଘରେ ବ୍ୟବହାର ପାଇଁ ଝାଡ଼ୁ, ଛପା ଭଳି ସାମଗ୍ରୀ ବଜାରରେ ବିକ୍ରି କରୁଛନ୍ତି । ବର୍ତ୍ତମାନ ଏହି ପରିବାର ପାଇଁ ବଡ ସମସ୍ୟା ବାଉଁଶ ଓ ବଜାରର ଚାହିଦା ହୋଇଥିବା ବେଳେ ବାଉଁଶ ଠିକ୍ ଭାବେ ମିଳୁନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି । ଗୋଟିଏ ବାଉଁଶର ମୂଲ୍ୟ ୨୦୦ଟଙ୍କାରେ କିଣିବାକୁ ପଡୁଛି, ମହରଗ ବେଳେ ବହୁ କଷ୍ଟରେ ବାଉଁଶ ସାମଗ୍ରୀ ନିର୍ମାଣ କରି ପରିବାର ଚଲାଉଛନ୍ତି ବୋଲି ମେଦ୍ରୀ ସାହିର ବୃଦ୍ଧ କେ.ସୋମେଶ, କେ ପାପା ରାଓ, ଜି ଚିନ୍ନା, କେ.ଅରୁଣା, କେ ସୁରି ପ୍ରମୁଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଆଧୁନିକ ଯୁଗରେ ବାଉଁଶ ସାମଗ୍ରୀର ଚାହିଦା ଧୀରେ ଧୀରେ କମି ଯାଉଥିବା ବେଳେ ଏହି ମେଦ୍ରୀ ସାହିର ୨୨ଟି ପରିବାର ବିନା ସରକାରୀ ସାହାଯ୍ୟରେ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି । ନାନା ସମସ୍ୟା ମଧ୍ୟରେ ଚଳି ଆସୁଥିବା ଏହି ପରିବାରଙ୍କୁ ସରକାରଙ୍କ ପକ୍ଷରୁ କେବଳ ରାସନ କାର୍ଡ ଛାଡି ଦେଲେ ଅନ୍ୟ କିଛି ବିଶେଷ ସୁବିଧା ସୁଯୋଗ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି । ଏମିତିକି ଆବାସ ଗୃହ, ଘର ବାରି ପଟ୍ଟା ନଥିବାରୁ ଲୋନ କିମ୍ବା ଅନ୍ୟାନ ସରକାରୀ ଯୋଜନାରେ ସାମିଲ ହୋଇପାରୁନାହାନ୍ତି ବୋଲି ସେମାନେ ପ୍ରକାଶ କରୁଥିବା ବେଳେ ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସରକାରୀସ୍ତରରେ ପ୍ରୋତ୍ସାହନର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି ।