ନାହାଁନ୍ତି ୫୮୩୪ ଡାକ୍ତର
ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକ ଅନୁସାରେ ଡାକ୍ତର ନାହାଁନ୍ତି ଯାହା ଫଳରେ ଏହାର ସିଧା ପ୍ରଭାବ ପଡିଛି ସ୍ୱାସ୍ଥ୍ୟ ଅବସ୍ଥା ଉପରେ । ବିଧାୟକ ଟଙ୍କଧର ତ୍ରିପାଠୀ ବିଧାନସଭା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏହି କହିଛନ୍ତି ରାଜ୍ୟରେ ବର୍ତ୍ତମାନ ୧୨ ଟି ସରକାରୀ ମେଡିକାଲ କଲେଜ ଗୋଟିଏ ଡେଣ୍ଟାଲ କଲେଜ ଏବଂ ୬ ଗୋଟି ବେସରକାରୀ ମେଡିକାଲ କଲେଜ ଗୋଟିଏ ଏମ୍ସ୍ ଏବଂ ୨ଟି ପିଜି ଅନୁଷ୍ଠାନ ରହିଥିବା ସୂଚନା ଦେଇଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ସରକାରୀ ଓ ବେସରକାରୀ ମେଡିକାଲ କଲେଜରୁ ୭୨୮୨ ଜଣ ଏମ.ବି.ବି.ଏସ ଡାକ୍ତର, ୪୨୫୮ ଜଣ ଏମ.ଡି/ଏମ.ଏସ ଏବଂ ୨୮୭ ଜଣ ଡି.ଏମ/ଏମ.ସି.ଏଚ୍ ଡାକ୍ତର ପରୀକ୍ଷାରେ ଉର୍ତ୍ତୀଣ୍ଣ ହୋଇଛନ୍ତି । ବିଗତ ୧୦ ବର୍ଷ ମଧ୍ୟରେ ୬୮୩ ଜଣ ଡାକ୍ତରୀ ଶିକ୍ଷକ ଏବଂ ୮୪୪୮ ଜଣ ଡାକ୍ତରଙ୍କୁ ନିଯୁକ୍ତି ଡିଆଯାଇଛି । ରାଜ୍ୟରେ ବର୍ତ୍ତମାନ ସରକାରୀ ମେଡିକାଲ ଏବଂ ହସ୍ପିଟାଲରେ ୧୦୫୪ ଜଣ ଡାକ୍ତର ଏବଂ ୬୦୫୬ ଜଣ ଅଣ ଡାକ୍ତର ପଦବୀ ଖାଲି ରହିଥିବା ବିଧାନସଭାରେ ବିବୃତି ରଖିଛନ୍ତି । ଏଲୋପାଥିକ ଡାକ୍ତରଖାନା ଗୁଡିକରେ ୫୮୩୪ ଜଣ ଡାକ୍ତର ଏବଂ ୨୧୪୦ ଅଣ ଡାକ୍ତର ପଦବୀ ଖାଲି ପଡିଥିବା କହିଛନ୍ତି । ସେହିପରି ରାଜ୍ୟର ୩ ଗୋଟି ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜରେ ୭ ଗୋଟି ଡାକ୍ତର ପଦବୀ ଓ ୬୦ଟି ଅଣ ଡାକ୍ତର ପଦବୀ ଖାଲି ରହିଥିବା ବେଳେ ୪ ଗୋଟି ହୋମିଓପାଥିକ ମେଡିକାଲ କଲେଜରେ ଗୋଟିଏ ଡାକ୍ତର ପଦବୀ ଓ ୩୫ ଜଣ ଅଣ ଡାକ୍ତର ପଦବୀ ଖାଲି ରହିଛି । ରାଜ୍ୟରେ ୬୨୦ ଗୋଟି ସରକାରୀ ଆୟୁର୍ବେଦିକ ଡାକ୍ତରଖାନାରେ ୫୬ ଗୋଟି ଆୟୁର୍ବେଦିକ ଡାକ୍ତର ଏବଂ ୨୫୫ ଟି ଅଣଡାକ୍ତର ପଦବୀ ଖାଲି ପଡିଛି । ସେହିପରି ୫୬୨ ଗୋଟି ହୋମିଓପାଥିକ ଡାକ୍ତରଖାନାରେ ୫୮ ଜଣ ହୋମିଓପାଥିକ ଡାକ୍ତର ପଦବୀ ଏବଂ ୨୧୬ ଗୋଟି ଅଣଡାକ୍ତର ପଦବୀ ଖାଲି ପଡିଥିବା ସୂଚନା ଦେଇଛନ୍ତି ।
ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ମୋଟ ୧୫,୭୭୪ ଡାକ୍ତର ପଦବୀ ମଧ୍ୟରୁ ୫୮୩୪ ପଦବୀ ଖାଲି ପଡିଥିବାବେଳେ ୯୯୪୦ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି । ରାଜ୍ୟରେ ସମସ୍ତ ଜିଲ୍ଲା ମେଡିକାଲରେ ମେଡିସିନ ବିଭାଗରେ ୪୮୯ ପଦବୀରୁ ୧୭୧ଟି ପୂରଣ ଥିବାବେଳେ ୩୧୮ଟି ପଦବୀ ଖାଲି ପଡିଛି । ଗାଇନିକ ବିଭାଗରେ ୫୮୪ଟି ପଦବୀରୁ ୩୫୧ଟି ପୂରଣ ହୋଇଥିବା ବେଳେ ୨୩୩ଟି ପଦବୀ ଖାଲି ପଡିଛି, ପେଡେଟିକ ବିଭାଗରେ୫୯୧ଟି ପଦବୀରୁ ୨୨୨ଟି ପଦବୀ ପୂରଣ ହୋଇଥିବା ବେଳେ ୩୬୯ଟି ପଦବୀ ଖାଲି ପଡିଛି । ସର୍ଜରୀ ବିଭାଗରେ ୫୦୦ଟି ପଦବୀ ମଧ୍ୟରୁ ୧୫୮ଟି ପୂରଣ ହୋଇଥିବା ବେଳେ ୩୪୨ଟି ଖାଲି ପଡିଛି, ଆନାସଥେସିସ ବିଭାଗରେ ୧୨୨ ପଦବୀରୁ ୫୬ ପୂରଣ ହୋଇଥିବାବେଳେ ୬୬ଟି ପଦବୀ ଖାଲି ପଡିଛି, ଅପଥାମୋଲଜିଷ୍ଟ ବିଭାଗରେ ୧୦୨ ପଦବୀରୁ ୭୦ଟି ପୂରଣ ହୋଇଥିବା ବେଳେ ୩୨ଟି ଖାଲି ପଡିଛି । ସେହିପରି ଅର୍ଥପେଡିକ ବିଭାଗରେ ସମୁଦାୟ ୭୭ଟି ପଦବୀ ମଧ୍ୟରୁ ୫୬ଟି ପୂରଣ ହୋଇଥିବାବେଳେ ୨୧ଟି ପଦବୀ ଖାଲି ପଡିଛି । ଏଫ.ଏମ.ଟିି ବିଭାଗରେ ୩୪ଟି ପଦ ମଧ୍ୟରୁ ମାତ୍ର ୩ଟି ପଦବୀ ପୂରଣ ଥିବା ବେଳେ ୩୧ଟି ଖାଲି ପଡିଛି । ଚର୍ମ ବିଭାଗରେ ୩୫ଟି ପଦବୀ ମଧ୍ୟରୁ ୧ଟେ ପଦବୀ ଖାଲି ପଡିଛି । ସେହିପରି ବିଭିନ୍ନ ମେଡିକାଲ କଲେଜରେ ୩୯୦ ଟି ପ୍ରଫେସର ପଦବୀ ମଧ୍ୟରୁ ୨୯୩ ଟି ପଦବୀ ପୂରଣ ଥିବାବେଳେ ୯୭ଟି ଖାଲି ପଡିଛି ।୫୯୧ଟି ଆସୋସିଏଟ ପ୍ରଫେସର ପଦବୀ ମଧ୍ୟରୁ ୩୯୬ଟି ପଦବୀ ପୂରଣ ହୋଇଥିବାବେଳେ ୧୯୫ଟି ପଦବୀ ଖାଲି ପଡିଛି, ଆସିଷ୍ଟାଣ୍ଟ ପଦବୀ ୧୦୯୪ରୁ ୯୯୯ଟି ପଦବୀ ପୂରଣ ଥିବାବେଳେ ୯୫ଟି ପଦବୀ ଖାଲି ପଡିଛି । ଏହାଛଡ଼ା ୪୨ଟି ଟ୍ୟୁଟର, ୪୨୯ଟି ସିନିୟର, ୮୧ଟି ଜୁନିୟର ଡାକ୍ତର ପଦବୀ ଖାଲି ପଡିଛି ।