ଏୟାରଫୋର୍ସ ରାଜ୍ୟ ସଂଘର ସଚିବ ହେଲେ ଅତନୁ
ବୈଶିଙ୍ଗା: ମୟୁରଭଞ୍ଜ ଜିଲ୍ଲା ତଥା ବୈଶିଙ୍ଗାର ଯୋଗ୍ୟ ସନ୍ତାନ ଅବସରପ୍ରାପ୍ତ ସ୍କ୍ୱାଡ୍ରନ ଲିଡର ଅତନୁ କୁମାର ପଣ୍ଡା ଏୟାରଫୋର୍ସ ଏସୋସିଏସନ ଓଡ଼ିଶା ଶାଖାର ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ବୈଶିଙ୍ଗା ଗ୍ରାମର ସ୍ୱର୍ଗତ ସୃଷ୍ଟିଧର ପଣ୍ଡା ଏବଂ ମାତା ଦିପ୍ତିମୟୀ ପଣ୍ଡାଙ୍କ କନିଷ୍ଠ ପୁତ୍ର ଭାବେ ପରିଚିତ । ଏୟାର ଫୋର୍ସରେ ସେବା କରିବା ପରେ ସେ ୨୦୨୩ ରେ ସେ ସେବା ମୁକ୍ତ ହୋଇଥିଲେ । ତା’ପରେ, ସେ ଭୁବନେଶ୍ୱରରେ ବ୍ୟବସାୟ ପ୍ରଚାଳନ କରୁଛନ୍ତି । ଯେଉଁଠି ବ୍ୟବସାୟ ସହ ଏକ ସମାଜସେବା ସଂଗଠନ ମଧ୍ୟ ଚଲାଇ ଅନ୍ୟମାନଙ୍କୁ ରୋଜଗାର ସୃଷ୍ଟି କରାଇ ପାରିଛନ୍ତି । ଏୟାର ଫୋର୍ସରୁ ଅବସର ନେବା ପରେ, ସେ ଏକ ଲେଖକ ଭାବେ ମଧ୍ୟ ନିଜ ପରିଚୟ ସ୍ଥାପନ କରିଛନ୍ତି ।
ସ୍କ୍ୱାଡ୍ରନ ଲିଡର ଅତନୁ ପଣ୍ଡା ତାଙ୍କର ପ୍ରାଥମିକ ଶିକ୍ଷା ପରେ ତାଙ୍କ ଶିକ୍ଷା ଜୀବନ ଆରମ୍ଭ କରିଥିଲେ ବାଲେଶ୍ୱର ଟାଉନ୍ ହାଇ ସ୍କୁଲରେ । ଏହାପରେ ସେ ଏମପିସି ଓ ଏଫଏମ କଲେଜ୍ ରେ ଅଧ୍ୟୟନ କରିଥିଲେ । ତାଙ୍କ ଲକ୍ଷ୍ୟ ଓଡ଼ିଶାର ଅବସରପ୍ରାପ୍ତ ଏୟାର ଫୋର୍ସ ଯୋଦ୍ଧାମାନଙ୍କ ପାଇଁ ଏବଂ ଅବହେଳିତ ଯୁବବର୍ଗମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା । ତାଙ୍କ ଏହି ଦୃଢ଼ ସଂକଳ୍ପ ଏବଂ ପ୍ରୟାସ ଅନ୍ୟମାନଙ୍କ ପାଇଁ ପ୍ରେରଣାସ୍ୱରୂପ ପାଲଟିଛି । ମୟୁରଭଞ୍ଜର ଏହି ଯୋଗ୍ୟ ସନ୍ତାନ ଆଜି ରାଜ୍ୟର ଗୌରବ ତଥା ଅବଞ୍ଚିତ ଯୁବମାନଙ୍କ ପାଇଁ ଏକ ଅନୁପ୍ରେରଣା ପାଲଟିଛନ୍ତି । ଏହି ଉଦ୍ୟମରେ ଉତ୍ତରୋତ୍ତର ସଫଳତା ଲାଭ କରିବା ପାଇଁ ବୈଶିଙ୍ଗାବାସୀ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।