୪୮ ଘଣ୍ଟା ଭିତରେ ପୁଣି ନିରଞ୍ଜନଙ୍କ ଘରୁ ଚୋରି ଉଦ୍ୟମ

 ଲୁଟେରାକୁ କାବୁ କଲେ ସ୍ଥାନୀୟ ଲୋକେ ଓ ପାଟ୍ରୋଲିଂ ଟିମ
ଭୁବନେଶ୍ୱର, ୨୮ା୧ : ୪୮ ଘଣ୍ଟା ଭିତରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆଉ ଏକ ଘରେ ପଶି ଲୁଟ୍ ଉଦ୍ୟମ । ଗତକାଲି ତଥା ସୋମବାର ରାତି ପ୍ରାୟ ୧୧ଟା ୩୫ରୁ ୧୨ଟା ମଧ୍ୟରେ ଆଉ ଏକ ଚୋର ଘରେ ପଶିଥିବା ସିସିଟିଭିରେ କଏଦ ହୋଇଛି ଓ ଚୋର ଜଣକ କିଛି ସମୟ ରେକୀ କରିବା ପରେ ଝରକା ଖୋଲି ଘର ଭିତରେ ପଶିବାକୁ ଉଦ୍ୟମ କରିଥିଲା । ସେହି ସମୟରେ ଘରର ଷ୍ଟାଫ ଦେଖିଦେବାରୁ ଦୌଡିବାକୁ ଆରମ୍ଭ କରିଥିଲା ଚୋର । ତେବେ ଚୋରକୁ ସ୍ଥାନୀୟ ଲୋକେ ଓ ନୟାପଲ୍ଲୀ ଥାନାର ପାଟ୍ରୋଲିଂ ଚଳାଉଥିବା ପିସିଆର ଭ୍ୟାନର କର୍ମଚାରୀ ମାନେ କାବୁ କରିଥିଲେ । ପରେ ଅଭିଯୁକ୍ତକୁ ଥାନାକୁ ନେଇ ପଚରାଉଚରା ଚଳାଉଛି ପୁଲିସ । ଗତ ୨୫ ତାରିଖ ତାରିଖରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବଡ଼ଧରଣର ଡକାୟତି ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ୩ଟି ଘର ଛାଡି ଘ/୨୫ ରେ ଚୋର ପୁଣି ଲୁଟ ପାଇଁ ବ୍ଲୁପ୍ରିଣ୍ଟ୍ ତିଆରି କରୁଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ଓ ରାତି ହେଲେ ଡର ଲାଗୁଛି । ରାଜଧାନୀ ଭୁବନେଶ୍ୱରରେ ଡକାୟତି ବଢିବା ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏବଂ, ସେ କହିଛନ୍ତି ରାଜଧାନୀରେ ହତ୍ୟା, ଲୁଟ୍, ଡକାୟତୀ, ଡ୍ରଗ୍ସ କାରବାର ଚଳାଇ ନିଶା ସେବନ କରୁଥିବା  ଓ ଚୋରି କରୁଥିବା କ୍ରିମିନାଲଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି  । ସେଥିପାଇଁ ଆମେ ଭୟବିତ ରହୁଛୁ । ଏହାକୁ କିପରି କଣ୍ଟ୍ରୋଲ କରାଯିବ ପ୍ରଶାସନ ଓ ପୁଲିସ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ରହିଛି ।
 ସୂଚନାଯୋଗ୍ୟ ଯେ, ଗତ ୨୫ ତାରିଖ ତାରିଖ ବିଳମ୍ବିତ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ନୟାପଲ୍ଲୀ ଆଇଆରସି ଭିଲେଜସ୍ଥିତ ଘରୁ ବଡ଼ଧରଣର ଡକାୟତି ହୋଇଥିଲା । ତାଙ୍କର ଉପର ଘରୁ ଆଲମିରାର ଲକର ଭାଙ୍ଗି ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଅଢ଼େଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ହେଲେ ଘଟଣାକୁ ୪୮ ଘଣ୍ଟା ପୁରିଯାଇଥିଲେ ମଧ୍ୟ ପୁଲିସ ଲୁଟେରାକୁ ଧରିବାରେ ସଫଳ ହୋଇନଥିବା ବେଳେ, ପୁଣି ନିରଞ୍ଜନଙ୍କ ଆଉ ଏକ ଘରୁ ଚୋରି ଉଦ୍ୟମ ହୋଇଛି । ଏଥିରୁ ଯାହା ଜଣାପଡୁଛି ରାଜଧାନୀରେ ଅପରାଧୀମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ଖୁଲମ ଖୁଲା ଲୁଟ୍, ଡକାୟତି, ଛିନତାଇ, ହତ୍ୟା ଓ ହତ୍ୟା ଉଦ୍ୟମ କରି ରାଜଧାନୀରେ କୋକୁଆ ଭୟ ସୃଷ୍ଟି କରୁଛନ୍ତି ।