ସରକାରୀ ଟଙ୍କାରେ ବେଟିଂ: ବନ୍ଧା ହେଲେ ପିଇଓ
ବ୍ରହ୍ମପୁର: ରାଜକୋଷରୁ ଟଙ୍କା ଲୁଟ୍ କରୁଥିଲେ । ଅଧିକ ଲାଭ ଆଶାରେ ସେହି ଟଙ୍କାକୁ ଗେମିଂ ଆପସରେ ଲଗାଉଥିଲେ । ଲକ୍ଷେ କି ଦି ଲକ୍ଷ ନୁହେଁ ଜାଲ୍ ଦସ୍ତଖତ କରି ୪୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ ପିଇଓ । ଖୋଳତାଡ଼ ପରେ ଭିଜିଲାନ୍ସ ଦୁର୍ନୀତିଗ୍ରସ୍ତ ଓ ଲୁଟେରା ପିଇଓଙ୍କୁ ଗିରଫ କରିଛି । ଭିଜିଲାନ୍ସର ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତରେ ପିଇଓ ଭାବେ କାମ କରୁଛନ୍ତି କ୍ଷେତ୍ରମୋହନ ନାୟକ । ସରପଞ୍ଚଙ୍କର ଜାଲ୍ ଦସ୍ତଖତ କରି ସେ ସିଏଫସି, ଏସଏଫସି, ପିଡ଼ିଏସ ଓ ଓଏପି ଆକାଉଣ୍ଟରୁ ୪୩ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । ଗଞ୍ଜାମର ଦିଗପହଣ୍ଡି ବ୍ରାଞ୍ଚ ଆକ୍ସିସ ବ୍ୟାଙ୍କ ଓ କାନାଡ଼ା ବ୍ୟାଙ୍କରୁ ଟଙ୍କା ଲୁଟ୍ କରି ସେ କ୍ରିକେଟ ଓ ଗେମିଂ ଆପସରେ ଲଗାଉଥିଲେ । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଖୋଳତାଡ଼ କରି କ୍ଷେତ୍ରମୋହନଙ୍କୁ ଗିରଫ କରିଛି ।