ରାଜ୍ୟ ନିର୍ବାଚନରେ ବିଜେଡ଼ି ଖର୍ଚ୍ଚ କରିଛି ୪୧୫ କୋଟି

ଭୁବନେଶ୍ୱର : ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ୪୧୫ କୋଟି ୨୧ ଲକ୍ଷ ୨୫ ହଜାର ୧୬୪ ଟଙ୍କା ଖର୍ଚ୍ଚ କରିଛି । ବିଜେଡ଼ି ଦଳୀୟ ପ୍ରଚାର ପାଇଁ ୨୭୭ କୋଟି ଟଙ୍କା ଖର୍ଚ୍ଚ କରିଛି । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ବାବଦରେ ୧୩୮ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ନିର୍ବାଚନୀ ବ୍ୟୟ ପରେ ବିଜେଡ଼ି ପାଖରେ ଆହୁରି ୬୨୫ କୋଟି ୭ ଲକ୍ଷ ଟଙ୍କା ରହିଛି । ଦଳୀୟ ପ୍ରଚାର ପାଇଁ ୪୭ କୋଟି ୧୪ ଲକ୍ଷ ଟଙ୍କା, ନିର୍ବାଚନୀ ପ୍ରଚାର ସାମଗ୍ରୀ ବାବଦରେ ୩୨ କୋଟି ୬୫ ଲକ୍ଷ ଟଙ୍କା, ତାରକା ପ୍ରଚାରକଙ୍କ ପାଇଁ ହେଲିକପ୍ଟର ନିମନ୍ତେ ୨୫ କୋଟି ୪୬ ଲକ୍ଷ ଟଙ୍କ ଖର୍ଚ୍ଚ ହୋଇଛି ।
ଗତ ଚବିଶ ନିର୍ବାଚନ ବେଳେ ଭିକେ ପାଣ୍ଡିଆନ୍ ୨୧୨ ଥର ହେଲିକପ୍ଟରରେ ବୁଲିଛନ୍ତି । ୨୧୨ ସ୍ଥାନରେ ପାଣ୍ଡିଆନ୍ ଯାଇ ପ୍ରଚାର କରିଛନ୍ତି । ସେ ସର୍ବାଧିକ ୧୫୭ ଥର ଏକାକୀ ନିର୍ବାଚନ ପ୍ରଚାର କରିଥିଲେ । ତେବେ ନବୀନଙ୍କ ସହ ପାଣ୍ଡିଆନ୍ ୫୫ ଥର ହେଲିକପ୍ଟରରେ ଯାଇଛନ୍ତି । ନବୀନ କିନ୍ତୁ ମାତ୍ର ୬ ଥର ହେଲିକପ୍ଟର ଓ ୫ ଥର ଏକାକୀ ଏୟାର କ୍ରାଫ୍ଟରେ ଗସ୍ତ କରି ନିର୍ବାଚନ ପ୍ରଚାର କରିଥିଲେ । ସେହିପରି ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ ୬ ଥର, ଅତନୁ ସବ୍ୟସାଚୀ ନାୟକ ୩ ଥର ଓ ପ୍ରଣବ ବଳବନ୍ତରାୟ ଥରେ ହେଲିକପ୍ଟରରେ ଗସ୍ତ କରିଥିଲେ । ହେଲିକପ୍ଟର ଓ ଏୟାର କ୍ରାଫ୍ଟ ବାବଦରେ ବିଜେଡ଼ି ନିର୍ବାଚନ ବେଳେ ୨୫ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ।