ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା 

  ସୋର:  ସୋର ବ୍ଲକ ସବିରା ପଞ୍ଚାୟତରେ ସୋର ବିଜେଡି ପକ୍ଷରୁ ବ୍ଲକ ସ୍ଥରୀୟ ଜନ ସମ୍ପର୍କ ପଦଯାତ୍ରା ବିଧାୟକ ମାଧବ ଧଡ଼ାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ୪୪ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ସବିରା ପଞ୍ଚାୟତର କୁଲ୍ହା ଛକ ଠାରୁ ପଦଯାତ୍ରା ବାହାରି ଜେନା ସାହି ଉଡ଼ା ପଡିଆ ନିକଟରେ ଶେଷ ହୋଇଥିଲା । ସେଠାରେ ସୋର ନଗର ବିଜେଡି ସଭାପତି ସୁକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ଧଡ଼ାଙ୍କ ସମେତ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ,ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ପରିଷଦ ସଭ୍ୟ ଜୟରାମ ଦାସ, ବ୍ଲକ ଅଧକ୍ଷା ଅନୁସୂୟା ମଳିକ, ସରପଞ୍ଚ ରାଜୀବ ରାଉତ ପ୍ରମୁଖ ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ କରିଥିବା ବିଭିନ୍ନ ଉନ୍ନତ୍ତିମୂଳକ କାର୍ଯ୍ୟର ସମୀକ୍ଷା କରିଥିବା ବେଳେ ବର୍ତ୍ତମାନର ବିଜେପି ସରକାର ଉପରେ ବର୍ଷିଥିଲେ ।  କର୍ପସ ଫଣ୍ଡ କରି ଚିଟଫଣ୍ଡରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ,୩ ଶହ ୟୁନିଟ ବିଜୁଳି ଛାଡ଼, ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ପ୍ରଦାନ, ସୁଭଦ୍ରା ଯୋଜନାରେ ବାର୍ଷିକ ୫୦ ହଜାର ଟଙ୍କା ବଦଳରେ  ୧୦ ହଜାର ଟଙ୍କା ପ୍ରଦାନ କରିବା ଆଦି ପ୍ରତିଶ୍ରୁତି ପୂରଣ କରି ନ ଥିବା ନେଇ ଖୁବ ବର୍ଷିଥିଲେ ।