ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା : ବିଜେଡି
ଭୁବନେଶ୍ୱର : ଯାଜପୁର ଜିଲ୍ଲାର ଛତିଆଠାରେ ମଙ୍ଗଳବାର ବୋମାମାଡ ÿଘଟଣାରେ ଦୁଇଜଣଙ୍କ ମୃତୁ୍ୟ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି, ଯାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି । ରାଜ୍ୟରେ ଏବେ କଥା କଥାକେ ମୁଣ୍ଡଗଡୁଛି । ଗତ ଦୁଇ ସପ୍ତାହ ଭିତରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଧିକ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ବିଜେଡି ଅଭିଯୋଗ କରିବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟୀ କରଣ ରଖନ୍ତୁ ବୋଲି ଦାବିକରିଛି । ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ପିପିଲି ନିର୍ବାଚନ ମଣ୍ଡଳୀରେ ଦୁଇ ଦିନ ତଳେ ଏକ ନାବାଳିକାର ଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଛି । ସେହିପରି, ମେ ମାସ ପ୍ରଥମ ସପ୍ତାହରେ, କୋରାପୁଟ ଜିଲ୍ଲାର ଲମତାପୁଟର ଗୁନେଇପଡା ଏସଟିଏସସି ବାଳିକା ଛାତ୍ରୀ ନିବାସରେ ଆଠ ବର୍ଷ ବାଳିକା ଧର୍ଷଣର ଶିକାର ହୋଇଛନ୍ତି । ଏପ୍ରିଲ ୨୬ ତାରିଖରେ, ଯାଜପୁର ଜିଲ୍ଲାରେ ମହିଳାଙ୍କୁ ଅପହରଣ ଓ ଗଣ ଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ଏପ୍ରିଲ ୨୬ ତାରିଖ ଦିନ, ଜଣେ ୨୩ ବର୍ଷର ଦଳିତ ଯୁବତୀଙ୍କୁ ତାଳଚେର ରେଳଷ୍ଟେସନ ନିକଟରୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା କରାଯିବା ପରେ ତାଙ୍କୁ ଏସିଡ ପକାଇ ପୋଡ଼ିଦେବାଭଳି ନାରକୀୟ କାଣ୍ଡ ଘଟିଥିଲା । ପ୍ରତିଦିନ ରାଜ୍ୟରେ ତିନିରୁ ଅଧିକ ହତ୍ୟା ଘଟଣା ସାମ୍ନାକୁ ଆସୁଛି । ରାଜଧାନୀ ଭୁବନେଶ୍ୱର ଓ ଗଞ୍ଜାମଜିଲ୍ଲା ଏବେ ହତ୍ୟାର ହଟସ୍ପଟ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଗତ ଦେଢ଼ମାସ ଭିତରେ ଗଞ୍ଜାମ ଜିଲ୍ଲାରେ ୧୬ ହତ୍ୟା, ୨୮ ହତ୍ୟା ଉଦ୍ୟମ ଓ ୩୫ଟି ମନ୍ଦିରରୁ ଚୋରି ହୋଇଛି, ଯାହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାଜନକ । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଦିନକୁ ଦିନ ଅଧିକ ବିପର୍ଯ୍ୟସ୍ତହୋଇ ପଡୁଥିବା ବେଳେ ରାଜ୍ୟ ସରକାରଙ୍କ ଏଥି ପ୍ରତି ନିଘା ନାହିଁ ।