୨୦୦୦ରୁ ୨୭ ଆସନରେ ବିଜେଡ଼ି ରାଜ୍

ଭୁବନେଶ୍ୱର : ରାଜ୍ୟର ୨୭ ଆସନରେ ବିଜୁ ଜନତା ଦଳ ଥରେବି ହାରିନାହିଁ । ୨୦୦୦ରୁ ସେହି ସବୁ ଆସନରେ ଚାଲିଛି ବିଜେଡ଼ି ରାଜ । ରେଢାଖୋଲ, ତେଲକୋଇ, ଭୋଗରାଇ, ବସ୍ତା, ବାସୁଦେବପୁର, ବିଞ୍ଝାରପୁର, ବରି, ଧର୍ମଶାଳା, ଯାଜପୁର, ସୁକିନ୍ଦା, ହିନେ୍ଦାଳ, କାମାକ୍ଷାନଗର, ଅନୁଗୁଳ, ଆଠମଲ୍ଲିକ, ବୀରମହାରାଜପୁର, ଧର୍ମଗଡ଼, ବଡମ୍ବା, ଆଠଗଡ଼, ମାହାଙ୍ଗା, କାକଟପୁର, ପିପିଲି, ନୟାଗଡ଼, ଭଞ୍ଜନଗର, ଖଲିକୋଟ, ହିଞ୍ଜିଳି, ବ୍ରହ୍ମପୁର ଓ ଚିକିଟିରେ ବିଜେଡ଼ି ସବୁବେଳେ ଜିତି ଆସୁଛି ।
ରେଢାଖୋଲ ଏସସି ଆସନରୁ ୨୦୦୦ ଓ ୨୦୦୪ରେ ସନାତନ ବିଶି ୨ ଥର ଜିତିଥିଲେ । ଏହି ଆସନଟି ଅଣସଂରକ୍ଷିତ ହେବା ପରେ ପ୍ରସନ୍ନ ଆଚାର୍ଯ୍ୟ ୨ ଥର ଓ ରୋହିତ ପୂଜାରୀ ଥରେ ବାଜିମାତ କରିଛନ୍ତି । ସେହିପରି ତେଲକୋଇରେ ୨୦୦୦ ଓ ୨୦୦୪ରେ ନୀଳାଦ୍ରି ନାଏକ, ୨୦୦୯ ଓ ୨୦୧୯ରେ ପ୍ରେମାନନ୍ଦ ନାଏକ ଓ ୨୦୧୪ରେ ବେଦବ୍ୟାସ ନାଏକ ବିଜୟୀ ହୋଇଥିଲେ । ଭୋଗରାଇରୁ ୨୦୦୦ରେ କମଳା ଦାସ ଜିତିଥିଲେ । କିନ୍ତୁ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ସେଠାରୁ ଅନନ୍ତ ଦାସ ପ୍ରତିନିଧିତ୍ୱ କରି ଆସୁଛନ୍ତି । ୨୦୦୦ରୁ ବସ୍ତା ଆସନରୁ ବିଜେଡ଼ି ଟିକେଟରେ ଲଗାତର ତିନୋଟି ନିର୍ବାଚନରେ ବାଜିମାତ କରିଥିଲେ ରଘୁନାଥ ମହାନ୍ତି । ତେବେ ବୋହୂ ନିର୍ଯ୍ୟାତନା ମାମଲାରେ ଫସିଯିବାରୁ ତାଙ୍କର ଟିକେଟ କଟିଯାଇଥିଲା । ୨୦୧୪ ଓ ୨୦୧୯ରେ ସେଠାରୁ ନିତ୍ୟାନନ୍ଦ ସାହୁ ବିଜୟୀ ହୋଇଛନ୍ତି ।
ଅପରପକ୍ଷରେ ବାସୁଦେବପୁରରେ ୨୦୦୦ରୁ ବିଜେଡ଼ି ଜିତି ଆସୁଛି । ବିଜୟଶ୍ରୀ ରାଉତରାୟ ୪ ଥର ଜିତିଥିବାବେଳେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଏବେ ବିଧାୟକ ଅଛନ୍ତି । ବିଞ୍ଝାରପୁରରେ ୨୦୦୦ରୁ ଏଯାବତ ପ୍ରମିଳା ମଲ୍ଲିକ ବିଜୟୀ ହୋଇ ଆସୁଛନ୍ତି । ବରିରୁ ଦେବାଶିଷ ନାୟକ ବିଜେଡ଼ି ଟିକେଟରେ ୪ ଥର ଜିତିଥିବାବେଳେ ୨୦୧୯ରେ ସୁନନ୍ଦା ଦାସ ବିଧାୟକ ହୋଇଛନ୍ତି । ସେହିପରି ଧର୍ମଶାଳାରୁ କଳ୍ପତରୁ ଦାସ ୩ ଥର ଓ ତାଙ୍କ ପୁଅ ପ୍ରଣବ ବଳବନ୍ତରାୟ ଦୁଇଥର ବିଜୟ ଲାଭ କରିଛନ୍ତି । ଯାଜପୁରରେ ମଧ୍ୟ ବିଜେଡ଼ି ୨୦୦୦ରୁ ଜିତି ଆସୁଛି । ୨୦୦୦ରେ ସୂର୍ଯ୍ୟମଣି ଜେନା, ୨୦୦୪ରେ ପରମେଶ୍ୱର ସେଠୀ ଓ ୨୦୦୯ରୁ ପ୍ରଣବ ପ୍ରକାଶ ଦାସ ଜିତି ଆସୁଛନ୍ତି । ସୁକିନ୍ଦାରେ ମଧ୍ୟ ବିଜେଡ଼ି ଟିକେଟରେ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ୩ ଥର ଓ ତାଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇ ୨ ଥର ବିଜୟ ଲାଭ କରିବାର ସୁଯୋଗ ପାଇଛନ୍ତି । ହିନେ୍ଦାଳରେ ୨୦୦୦ରୁ ଅଞ୍ଜଳୀ ବେହେରା ୩ ଥର ଜିତିଥିବାବେଳେ ସୀମାରାଣୀ ନାଏକ ୨୦୧୪ ଓ ୨୦୧୯ରେ ବିଜୟ ଲାଭ କରିଛନ୍ତି । କାମାକ୍ଷାନଗରରେ ୨୦୦୦ରେ ଜିତିଥିଲେ ବ୍ରହ୍ମାନନ୍ଦ ବିଶ୍ୱାଳ । ତେବେ ୨୦୦୪ରୁ ଏଯାବତ ପ୍ରଫୁଲ୍ଲ ମଲ୍ଲିକ ସେଠାରୁ ବିଜୟୀ ହୋଇ ଆସୁଛନ୍ତି । ୨୦୦୦ରେ ଅନୁଗୁଳରୁ ବିଜୟୀ ହୋଇଥିଲେ ଅଦୈତ ପ୍ରସାଦ ସିଂହ । ଏହା ପରେ ତାଙ୍କ ପୁଅ ରଜନୀକାନ୍ତ ସିଂ ୨୦୦୪ରୁ ଏଯାବତ ବିଧାୟକ ହେବାର ଗୌରବ ଅର୍ଜନ କରିଛନ୍ତି । ଆଠମଲ୍ଲିକରେ ୨୦୦୦ ଓ ୨୦୦୪ରେ ନଗେନ୍ଦ୍ର ପ୍ରଧାନ ବାଜିମାତ କରିଥିଲେ । ତେବେ ୨୦୦୯ ଓ ୨୦୧୪ରେ ସଂଜୀବ କୁମାର ସାହୁ ଓ ୨୦୧୯ରେ ରମେଶ ଚନ୍ଦ୍ର ସାଏ ବିଧାୟକ ହୋଇଛନ୍ତି ।
ବୀରମହାରାଜପୁରରେ ମଧ୍ୟ ବିଜେଡ଼ି ୫ ଥର ଜିଣିଛି । ୨୦୦୦ରେ ସଞ୍ଜୀବ ପ୍ରଧାନ, ୨୦୦୪ରେ ସଂଜୀବ କୁମାର ସାହୁ ଓ ୨୦୦୯ରୁ ୩ ଥର ପଦ୍ମନାଭ ବେହେରା ବାଜି ମାରିଛନ୍ତି । ଧର୍ମଗଡ଼ରେ ଦୁଇଥର ବୀର ସିପକା ଜିତିଥିବାବେଳେ ପୁଷେନ୍ଦ୍ର ସିଂହଦେଓ ଦୁଇଥର ଓ ମୌସୁଧୀ ବାଗ ଥରେ ଜିତିଛନ୍ତି । ବଡମ୍ବାରୁ ଦେବୀ ପ୍ରସାଦ ମିଶ୍ର ୫ ଥର ଜିଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଠଗଡ଼ରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜିତି ଆସୁଛନ୍ତି । ତେବେ ଭୁଲ ଟିକେଟ ଦାଖଲ ଅଭିଯୋଗରେ ତାଙ୍କର ପ୍ରାର୍ଥୀପତ୍ର ରଦ୍ଦ ହୋଇଥିବାବେଳେ ବିଜେଡ଼ି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ରମେଶ ରାଉତ ବିଜୟ ଲାଭ କରିଥିଲେ । ପରେ ସେହି ନିର୍ବାଚନ ଅସିଦ୍ଧ ହେବା ସହ ରାଜା ସ୍ୱାଇଁ ଉପନିର୍ବାଚନରେ ବିଜୟୀ ହୋଇଥିଲେ ।
ମାହାଙ୍ଗାରେ ବି ବିଜେଡ଼ି ୫ ଥର ବିଜୟ ହାସଲ କରିଛି । ୨୦୦୦ରେ ଶରତ କର, ୨୦୦୪ରେ ବିକ୍ରମ କେଶରୀ ବର୍ମା ଓ ୨୦୦୯ରୁ ଏଯାବତ ପ୍ରତାପ ଜେନା ବିଜୟ ଲାଭ କରିଛନ୍ତି । ୨୦୦୦ ଓ ୨୦୦୪ରେ କାକଟପୁରରେ ୨ ଥର ସୁରେନ୍ଦ୍ର ନାଥ ନାୟକ ଜିତିଥିଲେ । ପରେ ରବି ମଲ୍ଲିକ, ସୁରେନ୍ଦ୍ର ସେଠୀ ଓ ତୁଷାରକାନ୍ତି ବେହେରା ବିଜୟ ହାସଲ କରିଛନ୍ତି । ପିପିଲିରେ ପ୍ରଦୀପ ମହାରଥି ୫ ଥର ଜିତିଥିବାବେଳେ ତାଙ୍କର ପରଲୋକ ପରେ ପୁଅ ରୁଦ୍ର ମହାରଥି ବାଜିମାତ କରିଛନ୍ତି । ନୟାଗଡ଼ରେ ମଧ୍ୟ ଭାଗବତ ବେହେରା, ମନ୍ଦାକିନୀ ବେହେରାଙ୍କ ପରେ ଅରୁଣ ସାହୁ ୪ ଥର ବିଧାୟକ ହେବାର ସୁଯୋଗ ପାଇଛନ୍ତି । ଭଞ୍ଜନଗରରେ ବିକ୍ରମ ଆରୁଖ ୨୦୦୦ରୁ ବିଜୟୀ ହୋଇ ଆସୁଛନ୍ତି । ଖଲିକୋଟରୁ ଭି ସୁଜ୍ଞାନ କୁମାରୀ ଦେଓ ଦୁଇ ଥର, ପୂର୍ଣ୍ଣଚନ୍ଦ୍ର ସେଠୀ ଦୁଇଥର ଓ ସୂର୍ଯ୍ୟମଣି ବୈଦ୍ୟ ଥରେ ଜିତିଛନ୍ତି । ହିଞ୍ଜିଳିରୁ ନବୀନ ୨୦୦୦ରୁ ନିର୍ବାଚିତ ହୋଇ ଆସୁଥିବାବେଳେ ବ୍ରହ୍ମପୁରରୁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୪ ଥର ଓ ବିକ୍ରମ ପଣ୍ଡା ଥରେ ବାଜିମାତ କରିଛନ୍ତି । ସେହିପରି ଚିକିଟିରୁ ଉଷା ଦେବୀ ମଧ୍ୟ ୫ ଥର ବାଜିମାତ କରିଛନ୍ତି ।