ନେତା ଖୁସ, ନେତ୍ରୀ ନିରାଶ

ନେତା ଖୁସ, ନେତ୍ରୀ ନିରାଶ

ଭୁବନେଶ୍ୱର : ଏଥର ବିଜେଡ଼ି ଫୋକସରେ ରହିବେ ମହିଳା  । ଦଳ ୩୩% ସଂରକ୍ଷଣ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରୁଥିଲା  । ତେଣୁ ନେତ୍ରୀମାନେ ବେଶ ଯୋଶ୍ରେ ସଂଗଠନ କରୁଥିଲେ  । ଅତିକମରେ ୫୦ ଆସନରେ ବିଜେଡ଼ି ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ରାଜନୀତିକ ବଳୟରେ ଚର୍ଚ୍ଚା ଘୂରି ବୁଲିଥିଲା  । ଯେଉଁଥିପାଇଁ ଅନେକ ନେତା ଚିନ୍ତାରେ ପଡ଼ିଯାଇଥିଲେ  । କିନ୍ତୁ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସେଭଳି କିଛି ଦେଖିବାକୁ ମିଳିନାହିଁ  । ପ୍ରଥମ ଦଫାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି  । ସେଥିମଧ୍ୟରୁ ମାତ୍ର ୧୨ ଜଣ ମହିଳାଙ୍କୁ ଟିକେଟ ଦେଇଛନ୍ତି  । ତେବେ ୧୫ ଲୋକସଭା ଆସନଙ୍କ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ୪ ଜଣ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି  । ଗାଏମୋଟ କହିଲେ ଲୋକସଭାରେ ଦଳ ୭ ମହିଳାଙ୍କୁ ଟିକେଟ ଦେବାର ସମ୍ଭାବନା ରହିଛି  । କିନ୍ତୁ ଏବେ ବିଜେଡ଼ି ଆଉ ୭୫ ଆସନରେ ପ୍ରାର୍ଥୀ ଘୋଷଣା କରିବାର ଥିବାରୁ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରିବା ସମ୍ଭବପର ନୁହେଁ ବୋଲି କୁହାଯାଇପାରିବ  । 
ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ପରେ ରାଜ୍ୟ ବିଜେଡ଼ିର ଅନେକ ନେତ୍ରୀ ଖୁସି ହୋଇଯାଇଥିଲେ  । ଯଦିଓ ସେହି ଆଇନ ଏବେ ଲାଗୁ ହେବ ନାହିଁ ତଥାପିବି ଓଡ଼ିଶା ଉଦାହରଣ ସୃଷ୍ଟି କରିବ ବୋଲି ସମସ୍ତେ ଭାବିନେଇଥିଲେ  । କାହିଁକିନା ଗତଥର ୭ ଲୋକସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରି ନବୀନ ଉଦାହରଣ ସୃଷ୍ଟି କରିଥିଲେ  । ଯାହାକୁ ନେଇ ବିଜେଡ଼ିର ଅନେକ ଆଗଧାଡିର ନେତା ଚିନ୍ତାରେ ପଡ଼ିଯାଇଥିଲେ  । କେଉଁ ବିଧାୟକ ନିଜ ପନôୀଙ୍କ ବ୍ୟାନର ପୋଷ୍ଟର ମାରିଥିଲେ ତ ଆଉ କେଉଁଠି ଝିଅଙ୍କ ଫଟୋ ଲାଗିଥିଲା  । କେତେକ ନେତା ବୋହୂଙ୍କ ଫଟୋ ବି ବ୍ୟାନରରେ ମାରୁଥିବା ଦେଖିବାକୁ ମିଳିଥିଲା   । ସେପଟେ ଜିଲ୍ଲା ପରିଷଦ ବା ବ୍ଳକ ଅଧ୍ୟକ୍ଷା ଥିବା ମହିଳାମାନେ ନିଜ ନିଜ ବାଟରେ ଲବି ବି ଆରମ୍ଭ କରିଦେଇଥିଲେ  । ବିଜେଡ଼ିର ଅନେକ ଆଗଧାଡ଼ିର ନେତ୍ରୀମାନେ ବି ମହିଳା କୋଟାରେ ଟିକେଟ ନେବାକୁ ଆଶା ରଖିଥିଲେ  । ଅନେକ ନାରୀ ନେତ୍ରୀ ଟିକେଟ ପାଇବେ ବୋଲି ବି କହି ବୁଲୁଥିଲେ  । ଏଥର ମହିଳା ନେତ୍ରୀଙ୍କୁ ଟିକେଟ ମିଳିବ ମାନେ ମୋର ଫାଇନାଲ ବୋଲି ବି କହୁଥିଲେ  । କିନ୍ତୁ ପ୍ରଥମ ଦଫା ଭଳି ଦ୍ୱିତୀୟ ଦଫାରେ ବି ବେଶୀ ମହିଳାଙ୍କୁ ସୁଯୋଗ ମିଳିବ ନାହିଁ ବୋଲି ଅନୁମାନ କରାଯାଉଛି  । ମୋଦି ସରକାର ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ସହ ଏଥିରୁ ମାଇଲେଜ ନେବାକୁ ଯୋଜନା କରିଛନ୍ତି  । ତେଣୁ ବିଜେଡ଼ି ନେତ୍ରୀଙ୍କ ଭଳି ବିଜେପି ନେତ୍ରୀମାନେ ବି ଟିକେଟ ଆଶା ରଖିଛନ୍ତି  । କିନ୍ତୁ ନବୀନ ସମସ୍ତଙ୍କୁ ଚକମା ଦେଇ ପ୍ରାୟ ଅଧା ବିଧାନସଭା ଆସନରେ ଟିକେଟ ଦେଇ ସାରିଥିବାବେଳେ ବିଜେପି କିନ୍ତୁ ଏଯାଏଁ କାହାକୁ ଟିକେଟ ଦେଇନାହିଁ  । ଦିନେ ଦୁଇଦିନ ଭିତରେ ବିଜେପି ଟିକେଟ ଘୋଷଣା ହେଲେ ମହିଳାଙ୍କୁ ଦଳ କେତେ ଗୁରୁତ୍ୱ ଦେଇଛି ତାହା ଜଣାପଡ଼ିଯିବ  । ମୋଟାମୋଟି ଭାବେ ସାମ୍ପ୍ରତିକ ରାଜନୀତିକ ଅଙ୍କକୁ ଦେଖିଲେ ପୂର୍ବଭଳି ନେତାମାନଙ୍କ ଉପରେ ହିଁ ଦୁଇ ଦଳ ଭରସା କରିବାକୁ ବାଧ୍ୟ ହେବ  । ଯାହାକି ବିଜେଡ଼ି ଓ ବିଜେପିର ମହିଳା ନେତ୍ରୀମାନଙ୍କୁ ନିରାଶ କରିଦେଇଛି  ।