ବିଜେଡ଼ିରେ ତୁଷାର ବନାମ ସୁର, ବିଜେପିରୁ ବାଇଧର ନା ରବି!
ସାଧାରଣ ନିର୍ବାଚନ ପାଇଁ କାକଟପୁର ରାଜନୀତି ବେଶ ସରଗରମ ହୋଇଗଲାଣି । ଟିକେଟ ଘୋଷଣା ବିଳମ୍ବ ହେଉଥିବାରୁ ଆଶାୟୀଙ୍କ ଚିନ୍ତା ବଢ଼ି ଯାଇଛି । ଖାଲି ଆଶାୟୀ ନୁହଁନ୍ତି, କର୍ମୀମାନେ ବି ଆଶା ଆଶଙ୍କା ଭିତରେ ଗତି କରୁଛନ୍ତି । କାକଟପୁରରୁ ଏଥର କିଏ ଟିକେଟ ପାଇବେ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଚବିଶ ନିର୍ବାଚନରେ ବିଜେଡ଼ି ଓ ବିଜେପି ପୁଣି ମୁହାଁମୁହିଁ ହେବାର ସମ୍ଭାବନା ରହିଛି । ତେବେ କଂଗ୍ରେସର ବି ମଜବୁତ ସଂଗଠନ ଥିବାରୁ ବିଜେଡ଼ି ଓ ବିଜେପିର ଅଙ୍କ ବି ଗୋଳମାଳିଆ ହୋଇପାରେ ।
ଏସବୁ ରାଜନୀତିକ ଅଙ୍କ ଭିତରେ ବିଜେଡ଼ି କାହାକୁ ଟିକେଟ ଦେବ ସେନେଇ କଥା ଛିଡ଼ି ପାରୁନାହିଁ । ଗତ ୨୦୧୯ରେ ତୁଷାରକାନ୍ତି ବେହେରାଙ୍କୁ ପ୍ରଥମେ ବିଜେପି ଟିକେଟ ମିଳିଥିଲା । କିନ୍ତୁ ବିଜେଡ଼ିରୁ ଡକରା ଆସିବା ପରେ ତୁଷାର ବିଜେପି ଟିକେଟ ଫେରାଇ ବିଜେଡ଼ି ଟିକେଟ ନେଇଥିଲେ । ପ୍ରଥମ ଥର ବିଧାୟକ ହୋଇଥିଲେବି ତାଙ୍କୁ ମନ୍ତ୍ରୀ ହେବାର ସୌଭାଗ୍ୟ ମିଳିଛି । ଚବିଶରେ ସେ କାକଟପୁରରୁ ପୁଣି ଲଢ଼ିବାକୁ ଚିନ୍ତା କରୁଥିବାବେଳେ ମଝିରେ ଜଗତସିଂହପୁର ଲୋକସଭା ଟିକେଟ ମିଳିବ ବୋଲି କୁହାଯାଉଥିଲା । ତେବେ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିଥିବାରୁ ତୁଷାର କାକଟପୁରରୁ ଲଢ଼ିବାକୁ ରଣନୀତି କରିଛନ୍ତି । କିନ୍ତୁ ସ୍ଥାନୀୟ ଅଂଚଳରେ ତୁଷାରଙ୍କ ପୂର୍ବ କ୍ରେଜ ଆଉ ନାହିଁ । ଏଭଳି ସ୍ଥିତିରେ ପୁଣି କାକଟପୁରରୁ ଲଢ଼ିବାକୁ ଆଗକୁ ବଢ଼ିଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ । କାକଟପୁର ଓ ଅସ୍ତରଙ୍ଗ ବ୍ଳକ ଅଧ୍ୟକ୍ଷ ଏବେ ସୁରଙ୍କ ସହ ଅଛନ୍ତି । ବିଜେଡ଼ି କର୍ମୀମାନେ ମଧ୍ୟ ସୁରଙ୍କୁ ଚାହୁଁଥିବାରୁ କାହାକୁ ଟିକେଟ ଦେବ ସେନେଇ ଦଳ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ।
ଗତ ନିର୍ବାଚନରେ ବିଜେଡ଼ିକୁ ଟକ୍କର ଦେଇଥିଲା କଂଗ୍ରେସ । କଂଗ୍ରେସ ଟିକେଟରେ ଲଢ଼ି ବିଶ୍ୱଭୂଷଣ ଦାସ ୪୬ ହଜାରରୁ ଉଦ୍ଧ୍ୱର୍ ଭୋଟ ପାଇଥିଲେ । ତେଣୁ ପୁଣି ତାଙ୍କୁ କଂଗ୍ରେସ ଟିକେଟ ଦେବବୋଲି କୁହାଯାଉଛି । ଅପରପକ୍ଷରେ ବିଜେପି ପ୍ରାର୍ଥୀ ଦୌଡ଼ରେ ଏବେ ଅଛନ୍ତି ବାଇଧର ମଲ୍ଲିକ ଓ ରବି ମଲ୍ଲିକ । ବାଇଧର ବିଜେପିର ଜଣେ ପ୍ରଭାବଶାଳୀ ନେତା । ଅତୀତରେ ସେ ଥରେ ବିଧାୟକ ମଧ୍ୟ ଥିଲେ । ସେ ବି ନିଜ ପ୍ରଭାବ ବିସ୍ତାର କରି ଟିକେଟ ପାଇଁ ଗୋଟି ଚଳାଉଛନ୍ତି । ତେବେ ୨୦୧୯ରେ ପ୍ରାର୍ଥୀ ଥିବା ରବି ତାଙ୍କ ବାଟ ଓଗାଳିଛନ୍ତି । ବିଜେଡ଼ି ଭଳି ବିଜେପିରେ ମଧ୍ୟ ଏବେ ଟିକେଟକୁ ନେଇ ଛକାପଞ୍ଝା ଆରମ୍ଭ ହୋଇଯାଇଛି ।