ବଢୁଛି ଅସାମାଜିକଙ୍କ ଦୌରାତ୍ମ୍ୟ : ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି
ଯାଜପୁର ଟାଉନ: ବିଞ୍ଝାରପୁର ବ୍ଲକ୍ରେ ଅସାମାଜିକଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି । କିଛି ଅଦୃଶ୍ୟ ଶକ୍ତିଙ୍କ ଚାପରେ ନିରୀହ ଲୋକଙ୍କ ନାମରେ ମିଥ୍ୟା ମାମଲାରୁଜୁ କରାଯାଇ ଗିରଫର ଭୟଦେଖାଉଛନ୍ତି । ବିଡିଓଙ୍କ ସରକାରୀ କୋଠରୀରେ ଏଭଳି ଅମାନୁଷିକ ଘଟଣା ଘଟିଲେ ମଧ୍ୟ ବିଡ଼ିଓ ଭୟରେ ମୁହଁ ଖୋଲୁ ନାହାନ୍ତି । ସରକାରୀ କର୍ମଚାରୀ ଭୟରେ ବ୍ଲକ୍କୁ ଆସୁଛନ୍ତି । ଫେବୃଆରୀ ୨୫ତାରିଖରେ ଟିଣା ପଞ୍ଚାୟତର ସିସରଣା ଗ୍ରାମର ବିଦ୍ୟାଧର ନାୟକଙ୍କୁ ମାଂସଡା ଗ୍ରାମର ବାବୁନି ବିଶ୍ୱାଳ ଓ ରମେଶ ମଳିକ ବିଡିଓ କାର୍ଯ୍ୟାଳୟରୁ ଘୋଷାରି ଘୋଷାରି ବିଧା, ଗୋଇଠା ମାରି ପଦାକୁ ବାହାର କରିଦେବା ସହିତ ଗାଳିଗୁଲଜ କରିଥିଲେ । ବ୍ଲକକୁ ଆସିଲେ ଜୀବନରୁ ଶେଷ କରିଦେବେ ବୋଲି ଧମକ ଦେଇଥିଲେ । ଆକ୍ରମଣର ଶିକାର ହୋଇଥିବା ଶ୍ରୀ ନାୟକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ତ ଛାଡ ତଦନ୍ତ କରୁନି । ଘଟଣା ସମୟର ଭିଡିଓ ଫୁଟେଜ ଯାଂଚ କରି ପୁଲିସ ସତ୍ୟାସତ୍ୟ ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି । ଅପରନ୍ତୁ ନାୟକଙ୍କ ନାମରେ ଏକ ମିଥ୍ୟା ଜାତିଆଣା ମାମଲା ରୁଜୁ କରି ଗିରଫ କରିବାକୁ ଅଭିସନ୍ଧି ରଚାଯାଇଛି । ଏଭଳି ଅଭିଯୋଗ ଲିଖିତ ଭାବେ ବାଢ଼ି ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ବିଜେପିର ନିରଞ୍ଜନ ବେଉରିଆ, ଭୁବନାନନ୍ଦ ସାମଲ, ରବୀନ୍ଦ୍ର ବେଉରିଆ, ଯଦୁମଣି ନାୟକ, ଚକ୍ରଧର ମଳିକ, ଧରଣୀ ଧର ନାୟକ କେଦାର ମଳିକ, ଦୁଶାସନ ବେଉରିଆ, ପ୍ରକାଶ ମଳିକ, ବିଦ୍ୟାଧର ନାୟକ, ଚନ୍ଦ୍ରମଣି ଦାସ, ସନ୍ତାନୁ୍ୟ ଜେନା, ଜ୍ୟୋତି ପ୍ରକାଶ ମଲିକ ପ୍ରମୁଖ । ବ୍ଲକରେ ଚାଲିଥିବା ଦାଦାଗିରି ସମ୍ପର୍କରେ ଅବଗତ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିଜେପି ପ୍ରତିନିଧି ଦଳ । ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଏସ୍ପିଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇନ୍ତି ।