ଗାଁ ସଡ଼କରେ ଗାଡ଼ି ଗଡ଼ିବା ମୁସ୍କିଲ : କୁଅାଁରଦା-ନୂଆଗଡ ରାସ୍ତା ଅବସ୍ଥା ସାଂଘାତିକ
ଯାଜପୁର: ସହର ଭଳି ହେବ ଗାଁ ସଡ଼କ । ପୂର୍ବ ସରକାର ହେଉ କି ଏବର ସରକାର ଏକଥା କହି ଆସୁଛନ୍ତି । ସହର ଭଳି ଗାଁ ସଡ଼କ ଯେ ହେଉନି, ତାହା ନୁହେଁ, କିନ୍ତୁ ସହରକୁ ଲାଗି ରହିଥିବା ଗାଁ ସଡ଼କ ଉନ୍ନତି ହୋଇପାରୁନି । ଲଘୁ ଚାପ ଜନୀତ ବର୍ଷା ଏହାର ଚିତ୍ର ଉନ୍ମୋଚନ କରିଛି । ଯେଉଁଠି ଗାଡ଼ି ଗଡ଼ିବା ମୁସ୍କିଲ ହୋଇପଡ଼ିଛି । ଯିଏବି ଗଡ଼ାଇଲା ଟିକେ ଏପାଖ ସେପାଖ ହେଲେ ଲାଖି ରହୁଛି ଗାଡ଼ି । ଏଭଳି ଚିତ୍ର ଦେଖିବାକୁ ମିଳିଛି ବ୍ୟାସନଗର ସହରକୁ ଲାଗିରହିଥିବା କୁଅାଁରଦା-ନୂଆଗଡ଼ ରାସ୍ତାରେ । ଉକ୍ତ ମୁଖ୍ୟ ରାସ୍ତାର ଏକ ମନ୍ଦିର ନିକଟରୁ ପଡ଼ିଥିବା ବାଇପାସ ରାସ୍ତାଟି ଏତେ ଶୋଚନୀୟ ହୋଇପଡ଼ିଛି, ସେ ଗାଡ଼ି ଗଲେ ଲାଗିରହୁଛି । ସଂପୃକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ପାଖାପାଖି ପାଞ୍ଚଶହ ପରିବାର ବସବାସ କରୁଛନ୍ତି । ବିଶେଷ କରି ସ୍ଥାନୀୟ ଲୋକେ ଘର କରି ବିଭିନ୍ନ କଳକାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକ-କର୍ମଚାରୀଙ୍କୁ ଭଡ଼ାସୂତ୍ରରେ ଦେଇଛନ୍ତି । ଏହା ସହ କେତେକ ଅଞ୍ଚଳବାସୀ ମଧ୍ୟ ଗାଁରୁ ଉଠି ଆସି ବସବାସ କରୁଛନ୍ତି । କଳିଙ୍ଗନଗର ଶିଳ୍ପାଞ୍ଚଳ ଗଢି ଉଠିବା ପରେ ଉକ୍ତ ଅଞ୍ଚଳରେ ଗୋଟିଏ କଲୋନୀ ଗଢିଉଠିଛି । ପଞ୍ଚାୟତ ଅଧିନରେ ସଂପୃକ୍ତ କଲୋନୀ ଆସୁଛି । ରାସ୍ତାରେ ମୋରମ ବିଛାଯାଇଛି । ସୁଖିଲା ପାଗ ବେଳେ ଠିକ୍ ଥିଲା । କିନ୍ତୁ ବର୍ଷା ପରେ ଅବସ୍ଥା ସାଂଘାତିକ । ପାଦରେ ଚାଲିକି ଯିବାବି ସହଜ ନୁହେଁ । କୈାଣସି ଜରୁରୀକାଳୀନ ସେବା ଯୋଗାଉଥିବା ଗାଡ଼ି ଗଲେ ଲାଖିଯିବାର ଭୟ ରହିଛି । ଯେତେ ବେଳେ ସରକାର ଗାଁ ସଡ଼କକୁ ସହର ସଡ଼କ ଭଳି କରିବାକୁ କହୁଛନ୍ତି, ସେତେ ବେଳେ ସହରତଳି ଏରାସ୍ତା ଅବହେଳିତ କାହିଁକି ? କଲୋନୀରେ ବସବାସ କରୁଥିବା ପରିବାରଙ୍କ କ’ଣ ଏତକ ମୌଳିକ ସୁବିଧା ପାଇବାକୁ ହକଦାର ନୁହଁନ୍ତି?ା ବ୍ଲକ ପ୍ରଶାସନ ତୁରନ୍ତ ରାସ୍ତା ଅନୁଧ୍ୟାନ କରି ସୁବ୍ୟବସ୍ଥା କରିବାକୁ ଦାବି ହେଉଛି ।