ବିଜେଡିର ଦୁର୍ନୀତିକୁ ନେଇ ବର୍ଷିଲା ବିଜେପି

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ସିଧା ଟାର୍ଗେଟ କଲା ବିଜେପି । ବିଜେପି ରାଜ୍ୟ ପ୍ରବକ୍ତା ବିରଜା ଶଙ୍କର ମିଶ୍ର ଏବଂ ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରମୁଖ ଇଂ ଅଜୟ କୁମାର ସାହୁ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ସ୍ଥିତ ସିଲିସୁଆଁ ଠାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ଗସ୍ତରେ ଭିକେ ପାଣ୍ଡିଆନ କହିଥିଲେ, କେନ୍ଦୁଝରରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । କିନ୍ତୁ ଏହାର ଜବାବରେ ବିଜେପି ରାଜ୍ୟ ପ୍ରବକ୍ତା ବିରଜା ମିଶ୍ର କହିଛନ୍ତି, ଏହି ମହାବିଦ୍ୟାଳୟ ସମ୍ପୂର୍ଣ୍ଣ ଡିଏମ୍ଏଫ ଟଙ୍କାରେ ହୋଇଛି । ଯେଉଁଥିରେ କି ରାଜ୍ୟ ସରକାର ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିନାହାନ୍ତି ।  ୨୦୧୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ କେନ୍ଦୁଝର ଜିଲ୍ଲା ପାଇଁ ଗଠନ ହେଲା ଜିଲ୍ଲା ଖଣିଜ ପାଣ୍ଠି । ଜିଲ୍ଲା ଖଣିଜ ପାଣ୍ଠି ଗଠନ ହେବା ପର ଠାରୁ ରାଜ୍ୟ ସରକାର କେନ୍ଦୁଝର ଜିଲ୍ଲାକୁ କେତେ ଅର୍ଥ ରାଜ୍ୟ ରାଜକୋଷରୁ ପ୍ରଦାନ କରିଛନ୍ତି । ଜିଲ୍ଲାବାସୀଙ୍କ ପାଇଁ ମୌଳିକ ସୁବିଧା ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ତଥା ରୋଜଗାର କ୍ଷେତ୍ରରେ ରାଜ୍ୟ ସରକାରଙ୍କର କ’ଣ ଅବଦାନ ରହିଛି ପ୍ରଶ୍ନ କରିଛନ୍ତି ରାଜ୍ୟ ପ୍ରବକ୍ତା ବିରଜା ମିଶ୍ର । ଜିଲ୍ଲାର ଏକମାତ୍ର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କେବଳ କାଗଜ କଲମରେ ସୀମିତ । କାରଣ ବିଶ୍ୱବିଦ୍ୟାଳୟରେ ଏଯାବତ୍ କୁଳପତି ପଦବୀ ପୂରଣ କରାଯାଇନାହିଁ କିମ୍ବା ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ କରାଗଲାନାହିଁ । ରାଜନୈତିକ ଉଦେ୍ଦଶ୍ୟ ରଖି ଡିଏମ୍ଏଫ୍ ଟଙ୍କାରୁ ତରବରିଆ ଭାବରେ ଗତ ବର୍ଷ ୧୩ ଫେବୃୟାରୀ ୨୦୨୩ରେ ଧରଣୀଧର ମେଡିକାଲ କଲେଜ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ଏଥିରେ ଛାତ୍ରଛାତ୍ରୀଙ୍କର ପାଠ ପଢିବା (ପ୍ରାକ୍ଟିକାଲ) ପାଇଁ ଆବଶ୍ୟକୀୟ ଉପକରଣ ନାହିଁ । ଓପିଡି, ଆଇପିଡି, ଏମଆରଆଇ, ସିଟି ସ୍କାନ, ପାଥୋଲୋଜି ଏପରିକି ପ୍ରାକ୍ଟିକାଲ ଓ ଥିଓରୀ ଏକା ସହ କରିବା ମଧ୍ୟ ସମ୍ଭବପର ନୁହେଁ । ଏଥିରୁ ଆମ ପିଲାଙ୍କୁ ଶିକ୍ଷିତ କରିବାର ମାନସିକତା ଜଣାପଡୁଛି ବୋଲି ଅଭିଯୋଗ କରିଛନ୍ତି ଇଂ ଅଜୟ ସାହୁ । ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ରାଜ୍ୟ ବାହାରର ଠିକାସଂସ୍ଥା ନିଜେ ଡିପିଆର କରିଥିଲେ । ମାତ୍ର ଏବେ ପାନୀୟ ଜଳ ଯୋଗାଣର ସ୍ରୋତ ନ ମିଳିବାରୁ ଜଳ ସମସ୍ୟା ଜଳ ଦୁର୍ନୀତିର ଉଦାହରଣ ଯୋଡା, ଚମ୍ପୁଆ, ପାଟଣା, କେନ୍ଦୁଝର ପାଇଁ ୧୦୮.୨୭ କୋଟି, ହାଟଡିହି ୩୨୨.୧୪ କୋଟିର ବ୍ୟୟ ବରାଦ ପାନୀୟଜଳ ଯୋଗାଣ ମିଶନର ୨୦୪୯ ଗାଁକୁ ଲକ୍ଷ୍ୟ ଥିଲା, ମାତ୍ର ଏଥିରୁ ୬୬୩ ଗାଁକୁ ଜଳଯୋଗାଣ କରାଯାଇଥିବା ବେଳେ ୧୩୪୬ଟି ଗାଁକୁ ଜଳଯୋଗାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ । ରାଜ୍ୟର ବିଜେଡି ସରକାର ରାଜ୍ୟର ସମସ୍ତ ମନ୍ଦିରକୁ କୋଟି କୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ କେନ୍ଦୁଝରର ଆରାଧ୍ୟ ବଳଦେବଜୀଉ ମନ୍ଦିରକୁ ମାତ୍ର ୧ କୋଟି ଟଙ୍କା ପ୍ରଦାନ କରି ଅବହେଳା କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । କେନ୍ଦୁଝର ଜିଲ୍ଲାର ମୁଖ୍ୟ ରୋଜଗାର ସ୍ରୋତ ଟ୍ରକ, ମାତ୍ର ଏହାକୁ ବର୍ତ୍ତମାନ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅଚଳ କରିବାକୁ ଯୋଜନା କରି ସ୍ଲରୀ ପାଇପ ଲାଇନ ମାଧ୍ୟମରେ ଖଣିଜ ପଦାର୍ଥ ପରିବହନ ଯୋଜନା ସଫଳ କରିବାକୁ ଚାହୁଁଛନ୍ତି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଜିଲ୍ଲା ସ୍ଲରୀ ପାଇପ ଲାଇନ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜୁ ଜନତା ଦଳର ନେତାମାନେ ଏହି ପାଇପ ଲାଇନ୍ର ଠିକାଦାର ପାଲଟିଛନ୍ତ । ଜିଲ୍ଲା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜ୍ୟ ସରକାର ଜିଲ୍ଲାବାସୀଙ୍କର ମୌଳିକ ସୁବିଧା ପ୍ରତି ଆନ୍ତରିକତା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳଯୋଗାଣ ତଥା ରୋଜଗାରରେ ଦୁର୍ନୀତି କରି ଜିଲ୍ଲାକୁ ଦେବାଳିଆ କରିବାକୁ ଚାହୁଁଛନ୍ତି ବୋଲି କରିଛନ୍ତି ପ୍ରବକ୍ତା ବିରଜା ମିଶ୍ର । ଏହି ସାମ୍ବାଦିକ ସମ୍ମିଳନୀକୁ  ବିଜେପିର ଯୁବନେତା ପ୍ରିୟବ୍ରତ ଜେନା ପରିଚାଳନା କରିଥିଲେ ।