ବିଧାୟକଙ୍କ ଦାବି ପରେ ଚେକ ଡ୍ୟାମ ସର୍ଭେ ଆରମ୍ଭ
କେନ୍ଦୁଝର: ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା (ଦିଶା) କମିଟି ବୈଠକ ଗତ ୯ ତାରିଖ ଦିନ ଦରବାର ହଲ୍ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଯୋଡା ବ୍ଲକ୍ ନମ୍ବିରା ଗ୍ରାମରେ ଆଡିବନ୍ଧ ନିର୍ମାଣ କରିବାକୁ ପ୍ରସ୍ତାବ ରଖିଥିଲେ । ଚେକ ଡ୍ୟାମ କରାଗଲେ ଜଳସେଚନ ବ୍ୟବସ୍ଥାର ଭିତ୍ତିଭୂମିର ବିକାଶ,ଜଳ ସଂରକ୍ଷଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ହୋଇପାରିବ ବୋଲି ଶ୍ରୀ ମହାକୁଡ କହିଥିଲେ । ବିଧାୟକଙ୍କ ପ୍ରସ୍ତାବ ପରେ କେନ୍ଦୁଝର ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ. ସୁଧାଂଶୁ ଶେଖର ସାହୁ ଚମ୍ପୁଆ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ । ଚମ୍ପୁଆ ସବ୍ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଫୁଲ୍ଲ କୁମାର ସେଠୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟେକ୍ନିକାଲ ଟିମ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏହି ଟିମରେ ଯୋଡା ସହକାରୀ ଯନ୍ତ୍ରୀ ଇଂ. ସୁଶାନ୍ତ କୁମାର ନାୟକ ଏବଂ ଅନ୍ୟ କର୍ମଚାରୀ କ୍ଷେତ୍ର ପରିଦର୍ଶନ କରିଥିଲେ । ସ୍ଥାନୀୟ ଚାଷୀ ଅନିରୁଦ୍ଧ ମହାନ୍ତ ଏବଂ ଅନ୍ୟମାନେ ଆଡି ବନ୍ଧ କଲେ ବହୁ ଚାଷୀ ଉପକୃତ ହେବେ ବୋଲି କମିଟି ନିକଟରେ କହିଥିଲେ । ଚାଷ ପାଇଁ ଜଳ ସମସ୍ୟା ହେତୁ ବର୍ଷର ଖରିଫ ସମୟରେ କେବଳ ଧାନ ଚାଷ କରୁଛନ୍ତି । ଅନ୍ୟ ସମୟରେ ଜଳ ଅଭାବରୁ ଚାଷ କରି ପାରୁନଥିବାରୁ ବହୁ ଲୋକ ମୂଲ ଲାଗି ଚଳୁଛନ୍ତି । କ୍ଷୁଦ୍ର ଜଳସେଚନ ବିଭାଜର ଏକ ଟିମ ଗସ୍ତ ସେମାନଙ୍କ ଖୁସିର ସମୟ ବୋଲି ସେମାନେ କହିଛନ୍ତି । ବେତଝରୀ ଚିରସ୍ରୋତା ନାଳର ଅବହାବିକାରେ ନମ୍ବିରା ଗ୍ରାମରେ ଚେକ ଡ୍ୟାମ ହେଲେ ୧୦୦ ହେକ୍ଟର ଜମିରେ ଜଳ ସେଚନ ହୋଇପାରିବ । ବିଶେଷ କରି ନମ୍ବିରା ଗ୍ରାମର ୭୦ ପ୍ରତିଶତ ଏବଂ ଭଣ୍ଡାରିଡିହା ଗ୍ରାମର ୩୦ ପ୍ରତିଶତ ଚାଷୀ ଉପକୃତ ହେବେ ବୋଲି ଜଣାପଡିଛି । ଟେକନିକାଲ ଟିମ କ୍ଷେତ୍ର ପରିଦର୍ଶନ ପରେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ନମ୍ବରା ଗ୍ରାମରେ ବେତଝରୀ ଚିରସ୍ରୋତା ନାଳରେ ସ୍ଥାନୀୟ ଲୋକ ଜଳକୁ ମାଟି ବନ୍ଧ କରି ଏକ କୁଣ୍ଡରେ ଜଳକୁ ଆବଦ୍ଧ କରି ପିଇବା ଏବଂ ଗାଧେଇବା ପାଇଁ ବ୍ୟବହାର କରୁଛନ୍ତି । ଜଳ ଅପଚୟକୁ ରୋକି ତଳ ମୁଣ୍ଡରେ ସେଚ ଜଳର ସୁବୁନିଯୋଗ କରାଯାଇପାରିବ । ଉକ୍ତ ସ୍ଥାନରେ ୨ଟି ଛୋଟ ପାହାଡ ମଝିରେ ଆଡି ବନ୍ଧ କରାଗଲେ ଚାଷୀମାନେ ଉପକୃତ ହେବା ସହ ବର୍ଷର ସବୁ ସମୟରେ ଚାଷ କରିପାରିବେ । ନମ୍ବିରା ଗ୍ରାମରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ ଅଟନ୍ତି । ଚେକ ଡ୍ୟାମ ହେଲେ ଚାଷୀମାନେ ପାରମ୍ପାରିକ ନାନାବିଧ ଫସଲ ଚାଷ କରି ଲାଭାନ୍ୱିତ ହୋଇପାରିବେ ଏବଂ ନିଜର ଜୀବିକା ନିର୍ବାହ କରିପାରିବେ ବୋଲି ଚମ୍ପୁଆ ବିଧାୟକ ସନାତନ ମହାକୁଡ କହିଛନ୍ତି ।