ଚର୍ଚ୍ଚାରେ ପ୍ରମିଳାଙ୍କ ପୋଷ୍ଟ : ବହିଷ୍କୃତ "ବିଷ୍ଣୁ'ଙ୍କୁ କୋଳେଇ ନେବ ତ ବିଜେପି?
ବିଞ୍ଝାରପୁର : ସଦ୍ୟ ଦଶରଥପୁର ବ୍ଲକ ନନ୍ଦିପୁର ପଞ୍ଚାୟତ ବିଜେଡ଼ିରୁ ବହିଷ୍କୃତ ବିଷ୍ଣୁ ଚରଣ ମହାପାତ୍ରଙ୍କୁ ନେଇ ବିଞ୍ଝାରପୁର ରାଜନୀତି କୁହୁଳିବାରେ ଲାଗିଛି । ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅଧିନରେ ରହିଥିବା ନନ୍ଦିପୁର ପଞ୍ଚାୟତର ଟାଣୁଆ ନେତା ବୋଲି କହିଲେ ବିଷ୍ଣୁ ଏବଂ ପ୍ରଦୀପ ମହାନ୍ତିଙ୍କୁ ବୁଝାଇଥାଏ । ପ୍ରଦୀପଙ୍କୁ ବିଧାୟିକା ପ୍ରମିଳା ମଲିକ ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଳକ୍ର ୧୧ଗୋଟି ପଞ୍ଚାୟତର ସଂଗଠନ ଦାୟିତ୍ୱ ଦେଇଥିବା ବେଳେ ବିଷ୍ଣୁଙ୍କୁ ନନ୍ଦିପୁର ସମେତ ବିରୁହା ପଞ୍ଚାୟତର ଦାୟିତ୍ୱ ଦେଇଥିଲେ ।
୨୦୧୨ ପଞ୍ଚାୟତ ନିର୍ବାଚନରେ ବିଷ୍ଣୁ ନନ୍ଦିପୁର ପଞ୍ଚାୟତରୁ ସମିତିସଭ୍ୟ ଜିତି ଦଶରଥପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ହୋଇଥିଲେ । ୨୦୧୭ ନିର୍ବାଚନରେ ବିଷ୍ଣୁ କୌଣସି ପଦପଦବୀରେ ନଥିଲେ ବି ବିଜେଡ଼ିର ଦବଦବା ହେତୁ ନବଗଠିତ ବିରୁହା ଓ ନନ୍ଦିପୁର ପଞ୍ଚାୟତର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟର ପରିଚାଳନା ଦାୟିତ୍ୱ ନେଇଥିଲେ । ୨୦୧୯ସାଧାରଣ ନିର୍ବାଚନ ପରେ ପ୍ରମିଳା ବିଞ୍ଝାରପୁରରେ ଷଷ୍ଠ ଥର ପାଇଁ ବିଧାୟିକା ଭାବେ ନିର୍ବାଚିତ ହେଲେ । ଓଡ଼ିଶା ସରକାରଙ୍କ ମୁଖ୍ୟ ସଚେତକ ଓ ପରେ ଓଡ଼ିଶାରର ରାଜସ୍ୱ ମନ୍ତ୍ରୀ ପଦ ପାଇଥିଲେ । ପ୍ରଦୀପଙ୍କୁ ମନ୍ତ୍ରୀଙ୍କ ଜିଲା ପ୍ରତିନିଧି ଭାବେ ଘୋଷଣା କରିଥିଲେ । ଏହା ଭିତରେ ବିଷ୍ଣୁ ଓ ପ୍ରଦୀପଙ୍କ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା । କେବଳ ଉପରକୁ ଦୁହେଁ ଏକାଠି ବୋଲି ଦେଖେଇ ହେବା ସହ ପ୍ରମିଳାଙ୍କ ଶିବିରରେ ଏକାଠି ବସାଉଥିଲେ । ବିରୁହା ପଞ୍ଚାୟତର କାର୍ଯ୍ୟାଳୟ ନଥିବା ବେଳେ ନନ୍ଦିପୁର ପଞ୍ଚାୟତ କାର୍ଯ୍ୟଳୟରେ ସମସ୍ତ ଫାଇଲ କାର୍ଯ୍ୟକାରୀ ହୋଇଥାଏ । ସମସ୍ତ କାର୍ଯ୍ୟର ପରିଚାଳନା କରୁଥିଲେ ବିଷ୍ଣୁ ମହାପାତ୍ର । ପରିଚାଳନାରେ ଉନ୍ନତି ବଦଳରେ ପଞ୍ଚାୟତରେ ଦୁର୍ନୀତି ବଢ଼ିବାରେ ଲାଗିଲା । କେବଳ କାଗଜ ପତ୍ରରେ କାର୍ଯ୍ୟ କରାଯାଇ ମିଥ୍ୟା ବିଲ୍ କରାଗଲା । ମହାତ୍ମାଗାନ୍ଧୀ ଜାତୀୟ କର୍ମ ଯୋଜନାରେ ମିଛ ପୋଖରୀ, ଗୁହାଳ, ବୃକ୍ଷରୋପଣ ନାମରେ ଲକ୍ଷାଧିକ ଅର୍ଥ ହଡ଼ପ କରାଗଲା । ଯେଉଁଥିରେ ସାମିଲ ଥିଲେ ବିଷ୍ଣୁ ମହାପାତ୍ର, ସେ ସମୟର ସରପଞ୍ଚ ନବକିଶୋର ମଲ୍ଲିକ । ସରପଞ୍ଚଙ୍କ ସମେତ ଦଶରଥପୁର ବ୍ଲକ ସହକାରୀଯନ୍ତ୍ରୀ, କନିଷ୍ଠଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ସମସ୍ତେ ଥିଲେ ଏହି ଦୁର୍ନୀତିରେ ସାମିଲ । ତେବେ ଏହି ଦୁର୍ନୀତିକୁ ନେଇ ୨୦୨୧ମସିହାରେ ପଞ୍ଚାୟତର କିଛି ବ୍ୟକ୍ତି ତଦନ୍ତ ନିମନ୍ତେ ଅଭିଯୋଗ କାରି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗକୁ ଭିତ୍ତିକରି ଜିଲାପ୍ରକଳ୍ପ ନିଦେ୍ର୍ଦଶକ, ଜିଲା ପଞ୍ଚାୟତ ଅଧିକାରୀଙ୍କୁ ତଦନ୍ତ କରିବାକୁ ଜିଲାପାଳ ଅନୁମତି ଦେଇଥିଲେ । ତଦନ୍ତ ସମୟରେ ଦଶରଥପୁର ବ୍ଳକ୍ ବିଡିଓ, ସହକରୀଯନ୍ତ୍ରୀ, ପଞ୍ଚାୟତ ଅଧିକାରୀଙ୍କୁ ଉପସ୍ଥିତ ରହିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । କିନ୍ତୁ ଠିକ୍ ତଦନ୍ତର ଦୁଇ ଦିନ ପୂର୍ବରୁ ପଞ୍ଚାୟତ କାର୍ଯ୍ୟଳୟରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ସମସ୍ତ ଫାଇଲ ପୋଡ଼ି ଯାଇଥିବା ବେଳେ ଦୁର୍ନୀତିର ମାତ୍ରା ଏତେ ଥିଲା ଯେ ଧରା ପଡ଼ିଯିବା ଫଳରେ ନିଆଁ ଲଗାଇ ସବୁ ପ୍ରମାଣ ନଷ୍ଟ କରିଦିଆଯାଇଥିବାର ଅଭିଯୋଗ ଆସିଥିଲା । ନିଆଁ ଲାଗିବାର ଉଚସ୍ତରୀୟ ତଦନ୍ତ ହେବା ସହ ଭିଜିଲାନ୍ସ ତାଦନ୍ତ ବାକି ରହିଛି । କିନ୍ତୁ ରାଜ୍ୟରେ ବିଜେଡ଼ି ସରକାର ଥିବା ବେଳେ ପ୍ରମିଳାଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀରେ ଘଟଣା ହୋଇଥିବା କାରଣରୁ ଏହାକୁ ଚାପି ଦିଆ ଯାଇଥିଲା । ୨୦୨୩ରେ ବିଷ୍ଣୁଙ୍କୁ ଗ୍ରାମନନ୍ଦିପୁର କୃଷି ସମବାୟ ସମିତିର ସଭାପତି ଭବେ ଚୟନ କରାଯାଇଥିଲା । ଯାହାର ସୁଯୋଗ ନେଇ ଗ୍ରାମନନ୍ଦିପୁର କୃଷି ସମବାୟ ସମିତିରୁ ସମ୍ପାଦକଙ୍କୁ ଢାଲ କରି ଚାଷୀଙ୍କ ନାମରେ ପାଖାପାଖି ୭୦ଲକ୍ଷରୁ ଊର୍ଦ୍ଧ ଟଙ୍କା ହଡ଼ପ ହୋଇଥିବା କୁଆଡ଼େ ଶୁଣିବାକୁ ମିଳୁଛି । ତେବେ ୨୦୨୪ସାଧାରଣ ନିର୍ବାଚନରେ ରାଜ୍ୟରେ ୨୪ବର୍ଷର ବିଜେଡ଼ି ସରକାରର ପତନ ଘଟି ବିଜେପି ସରକାରକୁ ଆସିଥିବା ବେଳେ ବିଞ୍ଝାରପୁରରେ କିନ୍ତୁ ମାତ୍ର ୨୪ଶହ ଭୋଟରେ ସପ୍ତମ ଥର ପାଇଁ ପ୍ରମିଳା ବିଧାୟିକା ଗାଦିରେ ବସିଥିଲେ । ପ୍ରମିଳାଙ୍କ ଠାରୁ ସବୁପ୍ରକାର ସହଯୋଗ ହାତେଇ ଥିବା ବିଷ୍ଣୁ କୁଆଡ଼େ ଏଥର ନିର୍ବାଚନରେ ଭିତିରିଆ ବିଜେପି ସହ ଲିଙ୍କ୍ରେ ରହି ପ୍ରମିଳାଙ୍କ ଭୋଟ ହାର କମ୍ କରି ପ୍ରଦୀପ ମହାନ୍ତିଙ୍କୁ ପାନେ ଦେବା ସହ ଦଳବିରୋଧୀ କାର୍ଯ୍ୟ କରିଥିଲେ । ବିଷ୍ଣୁଙ୍କ ସହ ନନ୍ଦିପୁର ପଞ୍ଚାୟତ ସମିତିସଭ୍ୟା ରଶ୍ମିତା ଦାସ ଓ ମନୋରଞ୍ଜନ ପଣ୍ଡା କୁଆଡ଼େ ଏଥିରେ ସାମିଲ ଥିଲେ । ରାଜ୍ୟରେ ସରକାର ବଦଳିବା ପରେ ପଞ୍ଚାୟତ ଦୁର୍ନୀତି ଓ ପୋଡ଼ି ଘଟଣାରେ ତଦନ୍ତ ନିମନ୍ତେ ସଂଗ୍ରାମ ଜାରୀ ରଖିଥିବା ବିଜେପି କର୍ମୀ ଏବେ ଏସମସ୍ତ ଘଟଣାକୁ ତଦନ୍ତ ଲାଗି ଜିଲାପାଳଙ୍କ ସମେତ ରାଜ୍ୟ ସରକାରଙ୍କୁ ଘେରିଲେଣି । ସାତ ଦିନ ମଧ୍ୟର ଘଟଣାରର ତଦନ୍ତ ନହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଜିଲାପାଳଙ୍କୁ ଲିଖିତ ଜଣାଇ ସାରିଛନ୍ତି । ଘଟଣାର ୪ବର୍ଷ ବିତିଯାଇଥିଲେ ସୁଦ୍ଧା ପଞ୍ଚାୟତ କାର୍ଯ୍ୟାଳୟ ସର୍ଟ ସର୍କିଟରେ ପୋଡ଼ି ଯାଇଥିବା ମିଥ୍ୟା ରିପୋର୍ଟ ଦର୍ଶାଯାଇଥିଲା । ହେଲେ ଏହାକୁ ପେଟ୍ରୋଲ ଢାଳି ଲଗାଯାଇ ଥିବାର ଅନେକ ପ୍ରମାଣ ଏବେ ସାମ୍ନାକୁ ଆସିଲାଣି । ପୋଡି ଘଟଣାରେ ପ୍ରକୃତ ଚରିତ୍ର ସାମ୍ନାକୁ ଆଣିବା ପାଇଁ ଦାବି ଜୋର୍ ଧରିଲାଣି । ତେବେ ବିଷ୍ଣୁଙ୍କ ନାମ ଏହି ପୋଡି ଆଉ ଚାଷୀ ଟଙ୍କା ହଡ଼ପ ଘଟଣା ଏବେ ସାମ୍ନାକୁ ଆସୁଥିବା ବେଳେ ଗତ ୪ ତାରିଖରେ ବିଜେଡ଼ି ଜିଲା ସଭାପତି ସରୋଜ ମହାପାତ୍ର ବିଷ୍ଣୁଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ କରିବା ସହ ନନ୍ଦିପୁର ପଞ୍ଚାୟତ ସମିତିସଭ୍ୟା ରଶ୍ମିତା ଦାସ ଓ କର୍ମୀ ମନୋରଞ୍ଜନ ପଣ୍ଡାଙ୍କୁ ଦଳରୁ ବହିଷ୍କାର କରିଥିଲେ । ଯାହାକି ବିଜେଡ଼ି ଅଗକୁ ଦୋଷ ନମୁଣ୍ଡେଇବା ଲକ୍ଷ୍ୟ ଥିବା ଏଥିରୁ ବାରି ହୋଇପଡ଼ୁଛି । ବିଧାୟିକା ପ୍ରମିଳା ମଧ୍ୟ ନିଜ ଫେସ୍ ବୁକ୍ ଆକାଉଣ୍ଟରେ ପଞ୍ଚାୟତ ପୋଡି ଘଟଣାରେ ବିଷ୍ଣୁ ମହାପାତ୍ର ସାମିଲ୍ ଥିବା ସହ ଚାଷୀଙ୍କ ଟଙ୍କା ହଡ଼ପ ଘଟଣାରେ ଦଳରୁ ନିଲମ୍ବିତ କରାଯାଇଛି ବୋଲି ସିଧାସଳଖ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯାହାକି ଶେଷରେ ସମସ୍ତ ଘଟଣାରେ ଘଣ୍ଟ ଘୋଡାଇଥିବା ପ୍ରମିଳା ଶେଷରେ ବିଷ୍ଣୁଙ୍କ ହାତ ଛାଡିଛନ୍ତି ଆଉ ନିଜ ମୁଣ୍ଡରୁ ଦୋଷ ଖସେଇ ଦେଇଛନ୍ତି । ବିଜେଡିରୁ ବହିଷ୍କୃତ ବିଷ୍ଣୁଙ୍କୁ ବିଜେପି ନିଜ ଆଡ଼କୁ କୋଳେଇ ନେବା ପାଇଁ ବେଶ୍ ଆଶା ରଖିଥିବା ବେଳେ ବିଷ୍ଣୁବି ଏହି ଘଡି ସନ୍ଧି ମୂହୁର୍ତ୍ତରେ ନିଜକୁ ସୁରକ୍ଷା ଦେବାପାଇଁ ସରକାରରେ ଥିବା ବିଜେପି ଆଡ଼କୁ ଆଉଯିବା ପାଇଁ ବେସ କସରତ୍ କରୁଛନ୍ତି । ଏପଟେ ଯଦି ବିଜେପି ବିଷ୍ଣୁଙ୍କୁ ଦଳରେ ସାମିଲ୍ କରୁଛି ତେବେ ସର୍ବଦା ବିଜେଡ଼ି ବିରୁଦ୍ଧରେ ଲଢେଇ କରି ଆସୁଥିବା ନନ୍ଦିପୁର ସମେତ ବିରୁହା ପଞ୍ଚାୟତର ହାଜର ହାଜର ବିଜେପି କର୍ମୀ ଦଳ ପରିତ୍ୟାଗ କରିବାଟାକୁ ଏଡ଼ାଇ ଦିଆଯାଇନପାରେ । ଏହି ରାଜନୀତି ଛକାପଞ୍ଜା ଭିତରେ ଏହା ବିଜେପି ପାଇଁ ପରୀକ୍ଷାର ବେଳ ହୋଇ ଛିଡା ହୋଇଛି । ନିଜ ଦଳୀୟ କର୍ମୀଙ୍କୁ ପାଖରୁ ଛାଡ଼ିବେ ନା ବିଜେଡ଼ିରୁ ବହିଷ୍କୃତ ବିଷ୍ଣୁଙ୍କୁ ବିଜେପି କୋଳେଇ ନେବ ତାହାକୁ ସମସ୍ତେ ଅନାଇ ବସିଛନ୍ତି ।