ବିନା ସୂଚନା ଫଳକରେ ଚାଲିଛି ସାଢେ ୩କୋଟିର କାର୍ଯ୍ୟ: ବିଧାୟକଙ୍କ ଫଳକରେ କାମ ଚଳେଇଛନ୍ତି ଠିକାଦାର

 ଯାଜପୁର : କୈାଣସି ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ସୂଚନା ଫଳକ ଲଗାଇବା ନିୟମ ରହିଛି । ସର୍ବସାଧାରଣଙ୍କ ଅବଗତ ନିମନ୍ତେ ପ୍ରକଳ୍ପ ସଂପର୍କରେ ସବିଶେଷ ବିବରଣୀ ସାର୍ବଜନୀନ କରିବା ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଉତ୍ତରଦାୟିତ୍ୱ । କିନ୍ତୁ କୋରେଇ ବ୍ଲକର ଜନୈକ ଠିକାଦାର ଏବଂ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂପର୍କରେ ସୂଚନା ସାର୍ବଜନୀନ କରିବା ବଦଳରେ ଗୋପନ ରଖିବାକୁ ଉଚିତ ମଣିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାରଙ୍କ ଉପରେ ଦାୟିତ୍ୱ ଟେକି ଦେଇ ବସିପଡ଼ିଥିବା ବେଳେ ଠିକାଦାର ବିଧାୟକଙ୍କ ଫଳକରେ କାମ ଚଳେଇ ଦେବାରେ ଲାଗିଛନ୍ତି । ଆମେ କହୁଛୁ ପଣ୍ଡୁଳା ଛକ- ଖଣ୍ଡୁଆଳୀ ଉଚ୍ଚ ବିଦ୍ୟାଳୟ ଭାୟା ମାଲଦା, ଖାଁବାଗ୍, ପାଟୁଳି, ବାରଦା ରାସ୍ତାର କଥା । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ଏହି ରାସ୍ତା ନିର୍ମାଣ ପାଇଁ ୩କୋଟି ୬୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଗଲା ୬ତାରିଖରେ କୋରେଇ ବିଧାୟକ ଆକାଶ ଦାସନାୟକଙ୍କ କରକମଳରେ ଏହାର ଶୁଭଶିଳାନ୍ୟାସ ହୋଇଥିଲା । ସଂପୃକ୍ତ ରାସ୍ତା ନିର୍ମାଣ ଆରମ୍ଭରୁ ଠିକାଦାର ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି କାର୍ଯ୍ୟ କରିଚାଲିଛନ୍ତି । କାର୍ଯ୍ୟ କରୁଥିବା ଠିକାଦାର ଜନତାଙ୍କୁ ଭୁଅାଁ ବୁଲାଇବା ସହ ସରକାରଙ୍କୁ ଲକ୍ଷଲକ୍ଷ ଟଙ୍କା ଠକିଚାଲିବାକୁ ସୂଚନା ଫଳକ ଲଗାଉନଥିବା ଅଭିଯୋଗ ହେଉଛି । କାଳେ ସୂଚନା ଫଳକ ଲାଗିଗଲେ ମାଟି ପରିମାଣ କେତେ, ମାଟି କେଉଁଠୁ ଆଣିବାକୁ ଅନୁମତି ଦିଆଯାଇଛି, ମାଟି କେତେ କିମି ଦୂରରୁ ଆଣିବା ବିଧେୟ ତାର ସବିଶେଷ ସୂଚନା ଫଳକରେ ଉଲ୍ଲେଖ କରାଯିବ । ଏଭଳି ସୂଚନା ପ୍ରକଳ୍ପର ସ’ତ ଜଣାପଡ଼ିଯିବ । ଏଣୁ ଲକ୍ଷଲକ୍ଷ ଟଙ୍କାର ମାଟି ଲୁଟୁଥିବା ଠିକାଦାର ସତକୁ ଲୁଚାଇବାକୁ ଫଳକ ଲଗାଇବାକୁ ଉଚିତ ମଣିନାହାନ୍ତି । ହେଲେ ପ୍ରକଳ୍ପ ସଂପର୍କରେ ବିଧାୟକଙ୍କ ଶିଳାନ୍ୟାସ ସୈାଜନ୍ୟରୁ ଅନୁଦାନ ପରିମାଣ କଥା ଅଳ୍ପ ବହୁତେ ଜାଣିପାରିଛନ୍ତି । ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି, ସାଢେ ୩କୋଟିରୁ ଊର୍ଦ୍ଧ କାର୍ଯ୍ୟ ପାଇଁ କ’ଣ ରାସ୍ତାକଡ଼ୁ ମାଟି ତାଢି ରାସ୍ତା ନିର୍ମାଣରେ ଲଗାଇବାକୁ ଚୁକ୍ତିରେ ଉଲ୍ଲେଖ ରହିଛି । ହେଲେ ଠିକାଦାର ଜଣଙ୍କ ପ୍ରଭାବଶାଳୀ ସହ ବାହୁବଳି ହୋଇଥିବାରୁ ମାଲଦା, ଖାଁବାଗ୍, ପାଟୁଳି, ବାରଦା ଅଞ୍ଚଳଲୋକେ ଖୋଲାଖୋଲି ପ୍ରଶ୍ନ କରିବାକୁ ସାହସ କରୁ ନାହାନ୍ତି । କିନ୍ତୁ ରାସ୍ତା ନିର୍ମାଣରେ ଅନିୟମିତା ଭଳି ଅଭିଯୋଗ ଆଣି ସ୍ଥାନୀୟ କିଛି ଲୋକ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବା ପରେ ଯନ୍ତ୍ରୀ ମହୋଦୟ କିଛି ଦିନ ତଳେ କ୍ଷେତ୍ର ଅନୁଧ୍ୟାନ କରିଥିଲେ । ହେଲେ କି ପ୍ରକାର କ୍ଷେତ୍ର ଅନୁଧ୍ୟାନ କଲେ ଯେ ଠିକାଦାର ଖୁଲମଖୁଲା ମାଟି କାଟି ରାସ୍ତ୍ାରେ ଲଗାଇଚାଲିଛନ୍ତି । କାର୍ଯ୍ୟତଦାରକ ଦାୟିତ୍ୱରେ ଥିବା ଯନ୍ତ୍ରୀ ବାବୁଙ୍କୁ କିନ୍ତୁ ଫୋନ କଲେ ଧରିବାର ନାଁ ଗନ୍ଧ ଧରୁ ନାହାନ୍ତି । କିନ୍ତୁ ମୁଳୂସରଗଡ଼ା ମୈାଜାର କିଛି ଲୋକ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ମୌଜା ଅଞ୍ଚଳ ରାସ୍ତାକଡ଼ୁ ମାଟି ଉଠାଇଲେ ଘୋର ବିରୋଧ କରିବାକୁ ସଜବାଜ ହେଉଥିବାର ଜଣାପଡ଼ିଛି । ବିଧାୟକଙ୍କ ଫଳକରେ ଠିକାଦାର କେତେଦିନ କାମ ଚଳେଇ ନେବେ ତାହା କେବଳ ଦେଖିବାକୁ ବାକି ରହିଛି ।