ରାଜ୍ୟ ବିଜେପି ଅଫିସ୍ରେ ମିଶ୍ରଣ ପର୍ବ: ୧୦ ସରପଞ୍ଚ, ଶତାଧିକ କର୍ମୀ ବିଜେପିରେ ସାମିଲ
ଭୁବନେଶ୍ୱର : ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଅନେକ ବିଜେଡି ନେତୃବୃନ୍ଦ ଓ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି । ବ୍ରଜରାଜନଗର ଅନ୍ତର୍ଗତ ଲଖନପୁର ବ୍ଲକ୍ର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବାଣିଜ୍ୟ ଏବଂ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର ପ୍ରମୁଖ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଲଖନପୁରର ୧୦ ଜଣ ସରପଞ୍ଚ ବିଜେପିରେ ସାମିଲ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ବିକାଶକୁ ଆଗେଇ ନେବା ପାଇଁ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା । ଲଖନପୁରର କଣ୍ଢେଇକେଲା ସରପଞ୍ଚ ଅଶୋକ କୁମାର ସେଠ୍, ରେମତାର ପ୍ରଫୁଲ କୁମାର ସିଂ, ଚାରପାଲିର ଅରୁଣ ସୁନା ଓ ତାଙ୍କ ସ୍ୱାମୀ ପ୍ରଶାନ୍ତ ସୁନା, କାଦମଡିହିର ସରପଞ୍ଚ ତାରୁଲତା ବାରିକ, ବାଘମୁଣ୍ଡାର ସୁନିମା ପ୍ରଧାନ, ଜାମଗାଁର ଗୋପୀନାଥ ସାଇ, ରେମେଣ୍ଡା ସରପଞ୍ଚ ସୁଶାନ୍ତ ନାଏକ, ସାରନ୍ଦାମାଲ ସରପଞ୍ଚ ଝରଣା ସେଠ୍, ବଞ୍ଜାରୀ ସରପଞ୍ଚ ସୀମା ସାହୁ ଓ ତାଙ୍କ ସ୍ୱାମୀ ରାଧାରମଣ ସାହୁ, ପିପିଲିମାଲ ସରପଞ୍ଚ ରଙ୍ଗଧର ଡିଲା ପ୍ରମୁଖ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ସହିତ ତାଙ୍କ ସମର୍ଥକମାନେ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।