କେନ୍ଦ୍ରାପଡ଼ାରେ ଶିଳ୍ପାୟନ ବୃଦ୍ଧି କରାଯାଉ: ଶିଳ୍ପମନ୍ତ୍ରୀଙ୍କୁ ଜିଲ୍ଲାବିକାଶ ପରିଷଦର ଦାବି
ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାରେ ଶିଳ୍ପାୟନ ଓ ଦକ୍ଷତା ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି । ପରିଷଦର ଏକ ସାତ ଜଣିଆ ପ୍ରତିନିଧିମଣ୍ଡଳୀ ଲୋକସେବା ଭବନରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପରିଷଦ ପକ୍ଷରୁ କୁହାଯାଇଛି, କେନ୍ଦ୍ରାପଡା ଜିଲ୍ଲା ଏକ ଶିଳ୍ପବିହୀନ ଜିଲ୍ଲା । ଏଠାରେ ଉନ୍ନତମାନର ମାନବ ସମ୍ବଳ ସହ ଶିଳ୍ପ ପାଇଁ ଅନ୍ୟାନ୍ୟ ସମସ୍ତ ସମ୍ଭାବନା ରହିଛି । ରାଜ୍ୟର ଶିଳ୍ପାୟନ କ୍ଷେତ୍ରରେ କେନ୍ଦ୍ରାପଡା ଜିଲ୍ଲାକୁ ଗୁରୁତ୍ୱ ଦେଇ ଶିଳ୍ପ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବାର ଆବଶ୍ୟକତା ରହିଛି । ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉ । କିନ୍ତୁ ଏହା ସମୟସାପେକ୍ଷ ହୋଇଥିବାରୁ କ୍ଷୁଦ୍ର ଶିଳ୍ପ ପାଇଁ ମଧ୍ୟ ପ୍ରକ୍ରିୟା କରାଯାଉ । ଜିଲ୍ଲାର ବିଭିନ୍ନସ୍ଥାନରେ ଶିଳ୍ପ ପାଇଁ ଜମିର ଅଭାବ ରହିବ ନାହିଁ । କେନ୍ଦ୍ରାପଡ଼ାରେ ପର୍ଯ୍ୟଟନ ଓ କୃଷି ଭିତ୍ତିଭୂମି ସୁଦୃଢ଼ ରହିଛି । ତେଣୁ ଏହାକୁ ଆଖି ଆଗରେ ରଖି ପର୍ଯ୍ୟଟନ ଓ କୃଷି ଭିତ୍ତିକ ଶିଳ୍ପ ପାଇଁ ସରକାର ବ୍ଲୁ୍ୟ ପ୍ରିଣ୍ଟ୍ ପ୍ରସ୍ତୁତ କରନ୍ତୁ । ଏ ଦିଗରେ ବିଶେଷଜ୍ଞମାନଙ୍କୁ ନେଇ ମାନସ ମନ୍ଥନ କରାଯାଉ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ଏହା ବାଦ୍ ଜିଲ୍ଲାରେ ଥିବା ମାନବ ସମ୍ବଳକୁ ବିଭିନ୍ନ କ୍ଷେତ୍ରରେ ଦକ୍ଷ କରିବା ପାଇଁ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ପ୍ରତିନିଧିମଣ୍ଡଳୀରେ ପରିଷଦର ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ର, ସଂଯୋଜକ ଡ. ଅମୀୟ କୁମାର ମହାନ୍ତି, ସମ୍ପାଦକ ଚୌଧୁରୀ ଅମିତାଭ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ଡ. ସରୋଜ କାନ୍ତ କାନୁନଗୋଙ୍କ ସମେତ ଅନ୍ୟମାନେ ପ୍ରମୁଖ ସାମିଲ ହୋଇଥିଲେ ।