ଜେଲେନସ୍କିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ସାମ୍ପ୍ରତିକ ସ୍ଥିତି ଉପରେ ନିଜର ଦୃଷ୍ଟିକୋଣ ବିଷୟରେ କହିଥିଲେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇବା ସହ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ତଥା ଯଥାଶୀଘ୍ର ଶାନ୍ତି ଫେରାଇ ଆଣିବା ଉଦେ୍ଦଶ୍ୟରେ ପ୍ରୟାସକୁ ସମର୍ଥନ କରିବା ଲାଗି ଭାରତର ଦୃଢ଼ ଏବଂ ନିରନ୍ତର ଆଭିମୁଖ୍ୟକୁ ଦୋହରାଇଥିଲେ । ଏହି ପରିପ୍ରେକ୍ଷୀରେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ଦୁଇ ନେତା ଭାରତ-ୟୁକ୍ରେନ୍ ଦ୍ୱିପାକ୍ଷିକ ଭାଗିଦାରୀର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥ ସହ ଜଡ଼ିତ ସମସ୍ତ କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା କରିଥିଲେ । ଉଭୟ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ ।