ବେଗୁନିଆରେ ବିଜେପି-ବିଜେଡି କେଁ କଟର
ଗୋବିନ୍ଦ ଚନ୍ଦ୍ର ପଣ୍ଡା : ବେଗୁନିଆରେ ଦେଖା ଦେଲାଣି ରାଜନୈତିକ ଅସ୍ଥିରତା । ସରକାର ବଦଳିବା ପରେ ଦିନକୁଦିନ ବଦଳିବାରେ ଲାଗୁଛି ଆଭିମୁଖ୍ୟ । ଯେବେ ଠାରୁ ଖୋର୍ଦ୍ଧା ବିଧାୟକ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ମୁଣ୍ଡ ପୁରାଇବା ଆରମ୍ଭ କଲେଣି ସେବେଠୁ ବେଗୁନିଆ ନିର୍ବାଚନ ମଣ୍ଡଳୀ ଗୋଟେ ପ୍ରକାର ଅସ୍ଥିରତା ପରିସ୍ଥିତି ଆଡକୁ ଗତି କରୁଛି । ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପି ଦଳକୁ ମଜବୁତ କରିବା ପାଇଁ ଆସନ୍ତା ୭ ତାରିଖରେ ବେଗୁନିଆ ମିନି ଷ୍ଟାଡିଅମରେ ଏକ ବିରାଟ ମିଶ୍ରଣ ପର୍ବର ଆୟୋଜନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ ବିଜେଡି । ବିଜେଡିର ବିଧାୟକ ପ୍ରଦୀପ ସାହୁ କିଭଳି ଏହି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବେ ସେଥିପାଇଁ ରଣନୀତି ଆରମ୍ଭ କରିଛନ୍ତି । ଦୁଇ ଦଳ ଭିତରେ ଏବେ ପୂରା ଟକରା ଟକରି ପରିସ୍ଥିତି ଉପୁଜି ଥିବା ଦେଖାଦେଇଛି । ପ୍ରଶାନ୍ତ ଜଗଦେବ ନିଜ ବେଗୁନିଆ ସ୍ଥିତ ବାସଭବନରେ ବିଭିନ୍ନ ପଞ୍ଚାୟତର କର୍ମୀଙ୍କୁ ଆଣି ବୈଠକ କରୁଥିବା ବେଳେ ଆଜି ବେଗୁନିଆ ସ୍ଥିତ ବାଲୁଙ୍କେଶ୍ୱରଙ୍କ ପୀଠରେ କୋଡିଏଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଏବଂ ଛାମୁଆ ସଂଗଠକଙ୍କୁ ଡାକି ବୈଠକ କରିଛନ୍ତି । ଆଉ ଯେଉଁ ବୈଠକରେ କିଭଳି ପ୍ରଶାନ୍ତ ଜଗଦେବଙ୍କର ଆଗାମୀ ମିଶ୍ରଣ ପର୍ବକୁ ଭଣ୍ଡୁର କରାଯିବ ସେଥିପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛନ୍ତି । ନିର୍ବାଚିତ ପ୍ରତିନିଧିମାନେ ଏଠାରେ ଶପଥ କରିଛନ୍ତି । କି ଯେଭଳି ତାଙ୍କ ନେତୃତ୍ୱରେ କୌଣସି ଜଣେବି ସାଧାରଣ ଲୋକ ବିଜେପି କାର୍ଯ୍ୟକ୍ରମକୁ ଯାଇ ପାରିବେ ନାହିଁ । ଏଭଳି ପରିସ୍ଥିତିକୁ ନଜର କଲେ ଆଗାମୀ ଦିନରେ ବିଜେପି ଏବଂ ବିଜେଡି ଭିତରେ ପୁଣି ଥରେ କେଁ କଟର ପରିସ୍ଥିତି ବେଗୁନିଆରେ ଆରମ୍ଭ ହେବାକୁ ଯାଉଛି । ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ ପାଲଟିଥିବା ବେଳେ ଏହି ଗଡ଼କୁ ପ୍ରଶାନ୍ତ ଜଗଦେବ ଭାଙ୍ଗିବାକୁ ପ୍ରଚେଷ୍ଟା ଆରମ୍ଭ କରିଥିବା ବେଳେ ସ୍ଥାନୀୟ ବିଜେଡି ବିଧାୟକ ଏଥିରେ ରୋକ ଲଗାଇବା ପାଇଁ ଦଳୀୟ କର୍ମୀଙ୍କୁ ହ୍ୱିପ ଜାରି କରିଥିବା ଦେଖିବାକୁ ମିଳିଛି ।