ଓଡ଼ିଆ ପକ୍ଷ’ରେ ବହି କିଣିଲେ

 ଭୁବନେଶ୍ୱର : ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିବସ ଅବସରରେ ସାରା ରାଜ୍ୟରେ "ଆସ ବହିଟିଏ କିଣିବା' ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସ୍ରଷ୍ଟାମାନଙ୍କ ପାଇଁ ସମର୍ପିତ ଥିଲା ଆଜିର ଏହି "ଆସ ବହିଟିଏ କିଣିବା' ଅଭିଯାନ । ସାହିତ୍ୟ ଜଗତର ସାଧାକମାନଙ୍କ ଦ୍ୱାରା ଲିଖିତ ପୁସ୍ତକକୁ କିଣିବା, ପଢ଼ିବା ଓ ଅନ୍ୟମାନଙ୍କୁ ଉପହାର ଦେବା ଲକ୍ଷ୍ୟରେ ସାରା ରାଜ୍ୟରେ ଆଜି "ଆସ ବହିଟିଏ କିଣିବା' ଅଭିଯାନକୁ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅସ୍ଥାୟୀ ପୁସ୍ତକ ବିକ୍ରୟ କେନ୍ଦ୍ର ତଥା ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । 
ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀମାନେ ପୁସ୍ତକ ବିକ୍ରୟ କେନ୍ଦ୍ର ପରିଦର୍ଶନ କରିବା ସହିତ ବହି ମଧ୍ୟ କିଣିଥିଲେ । ଏଥିସହିତ ମହାବିଦ୍ୟାଳୟମାନଙ୍କରେ ଓଡ଼ିଆ ସାହିତ୍ୟ ଏବଂ ପୁସ୍ତକ ପଠନ ସମ୍ବନ୍ଧୀୟ ଆଲୋଚନା ଚକ୍ରର ଆୟୋଜନ କରାଯିବା ସହିତ ବହି କିଣିବା ଓ ପୁସ୍ତକ ପଠନକୁ ନିୟମିତ ଭାବରେ ନିଜର ଦିନଚର୍ଯ୍ୟାରେ ସଂଶ୍ଳିଷ୍ଟ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।
ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ରହିଥିବା ବହି ଦୋକାନମାନଙ୍କରେ ମଧ୍ୟ "ଆସ ବହିଟିଏ କିଣିବା' ଅଭିଯାନକୁ ପାଳନ କରାଯାଇଥିଲା । ଆଜିର ଦିନରେ ବହି ଦୋକାନଗୁଡ଼ିକରେ ପାଠକ ଏବଂ ବିଦ୍ୟାର୍ଥୀମାନଙ୍କର ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା । ସମସ୍ତେ ଆନନ୍ଦର ସହିତ ନିଜ ପାଇଁ ବହି କିଣିବା ସହିତ ନିଜ ବନ୍ଧୁ ପରିଜନମାନଙ୍କୁ ମଧ୍ୟ ବହିଟିଏ ଉପହାର ଭାବେ ପ୍ରଦାନ କରିଥିଲେ । ଏଥିସହିତ ବହି କିଣିବା ଓ ପଢ଼ିବାର ସେଲ୍ଫି ଉଠାଇ ଏହାକୁ ଅତି ଉସôାହର ସହିତ ଓଡ଼ିଆ ପକ୍ଷ ପାଇଁ ନିର୍ମିତ ୱେବସାଇଟରେ ମଧ୍ୟ ଅପଲୋଡ୍ କରିଥିଲେ ।