୧୭ରେ ୨୦୨୫-୨୬ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ

୧୭ରେ ୨୦୨୫-୨୬ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର :ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବା ବଜେଟ ଅଧିବେଶନ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ଫେବୃଆରୀ ୧୩ରୁ ୨୧ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ। ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ବିଧାନସଭାରେ ଉପସ୍ଥାପିତ ହେବ। ଏହା ପୂର୍ବରୁ ୧୨ ତାରିଖ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ଏହି ଅଧିବେଶନର ୨୮ଟି ଲମ୍ବା କାର୍ଯ୍ୟଦିବସ ଥିବାରୁ ବିଶେଷକରି ବଜେଟ ସମୟରେ ଶାନ୍ତିଶୃଙ୍ଖଳାର
ସହ ଗୃହ ପରିଚାଳନା ପାଇଁ ବାଚସ୍ପତି ସବୁ ଦଳର ନେତାଙ୍କ ସହ ଆଲୋଚନା କରିବେ। ଫେବୃଆରୀ ୧୪ ଓ ୧୫ ଦୁଇଦିନ ଧରି ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ୧୭ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପରେ ଅର୍ଥାତ ୧୯ରେ ପ୍ରାଇଭେଟ ମେମ୍ବର୍ସ ବିଜ୍‌ନେସ ଏବଂ ୨୦ ଓ ୨୧ରେ ବଜେଟ ଉପରେ ସାଧାରଣ ଆଲୋଚନା ଆରମ୍ଭ ହେବ। ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିବ। ମାର୍ଚ୍ଚ ୭ରୁ ଦ୍ୱିତୀୟ ପର୍ଯ୍ୟାୟ ଗୃହ କାର୍ଯ୍ୟ ଆରମ୍ଭ ହେବ। ମାର୍ଚ୍ଚ ୧୦ରୁ ବିଭାଗୱାରି ଅନୁଦାନ ଦାବି ଉପରେ ଆଲୋଚନା ହେବ ଏବଂ ବ୍ୟୟମଞ୍ଜୁରୀ ବିଲ୍‌ ମାର୍ଚ୍ଚ ୨୯ରେ ଆସିବ ବୋଲି ସୂଚନା ରହିଛି।