ବର୍ଡର ପାଇଁ ବଜେଟରେ ୧୧୦ କୋଟିର ଘୋଷଣା
ପଞ୍ଜାବ ସରକାରଙ୍କ ବଡ଼ ନିଷ୍ପତ୍ତି । ଭାରତ ପାକିସ୍ତାନ ବର୍ଡରରେ ସୁରକ୍ଷା ବୃଦ୍ଧି କରିବା ପାଇଁ ସରକାର ୫ ହଜାର ହୋମଗାର୍ଡଙ୍କୁ କରିବେ ନିୟୋଜିତ । ଏହା ସହିତ ଆଣ୍ଟି-ଡ୍ରୋନ୍ ସିଷ୍ଟମ ଲଗାଇବ ପଞ୍ଜାବ ସରକାର । ଭାରତ ଇତିହାସରେ ଏହା ପ୍ରଥମ ଥର ହେବ ଯେ କୌଣସି ରାଜ୍ୟ ସରକାର ସୀମାରେ ଦ୍ୱିତୀୟ ସୁରକ୍ଷା ରେଖା ନିର୍ମାଣ କରିବେ ।
ଭାରତ-ପାକିସ୍ତାନ ସୀମାରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ପଞ୍ଜାବ ସରକାର ସୀମାରେ ୫ ହଜାର ହୋମଗାର୍ଡଙ୍କୁ ମୁତୟନ କରିବେ । ଏଥିପାଇଁ ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ୍ ଚିମା ବୁଧବାର ରାଜ୍ୟ ବଜେଟ୍ ୨୦୨୫-୨୬ରେ ୧୧୦ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଅଧିକାଂଶ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ସୀମା ଦେଇ ହେଉଛି । ବର୍ଡରରୁ ୫୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ବିଏସଏଫ ଅଧୀନରେ ଆସେ ତେଣୁ ଏହାକୁ ରୋକିବାର ମୁଖ୍ୟ ଦାୟିତ୍ୱ କେନ୍ଦ୍ର ସରକାର ଏବଂ ବିଏସଏଫର । ଏବେ ପଞ୍ଜାବ ସରକାର ବିଏସଏଫକୁ ସାହାଯ୍ୟ କରିବା ପାଇଁ ଦୁଇଟି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ପଞ୍ଜାବର ଇତିହାସରେ ପ୍ରଥମ ଥର ପାଇଁରାଜ୍ୟ ସରକାରସୀମାରେ ବିଏସଏଫ ଯବାନମାନଙ୍କ ସହିତ ୫ ହଜାର ହୋମଗାର୍ଡଙ୍କୁ ନିୟୋଜିତ କରି ଆଉ ଏକ ଦୃଢ ସୁରକ୍ଷା ରେଖା ସୃଷ୍ଟି କରିବେ । ଏହି ହୋମଗାର୍ଡମାନଙ୍କୁ ରାଜ୍ୟର ସର୍ବୋତ୍ତମ ଯୁବକମାନଙ୍କ ମଧ୍ୟରୁ ଚୟନ କରାଯିବ । ଯେଉଁମାନେ କି ପଞ୍ଜାବର ଭବିଷ୍ୟତକୁ ସୁରକ୍ଷା ଦେବେ ।
ପଞ୍ଜାବ ସରକାର ଅତ୍ୟାଧୁନିକ ଆଣ୍ଟି-ଡ୍ରୋନ୍ ପ୍ରଣାଳୀ ମଧ୍ୟ ସ୍ଥାପନ କରିବେ । ଯାହା କି ସୀମା ସେପଟରୁ ଶତ୍ରୁମାନଙ୍କ ଦ୍ୱାରା ଆସୁଥିବା ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ବୋଝେଇ ଡ୍ରୋନଗୁଡ଼ିକୁ ଟ୍ରାକ୍ କରି ନଷ୍ଟ କରିବ । ଆଜିକାଲି ଗୁପ୍ତଚରମାନଙ୍କର ଡ୍ରୋନ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବାର କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ପାକିସ୍ତାନ ଏପରି କାର୍ଯ୍ୟକଳାପ ଲଗାତାର ଭାବରେ କରୁଛି । ସେଥିପାଇଁ ପଞ୍ଜାବ ସରକାର ନୂତନ ପ୍ରଯୁକ୍ତିର ପରୀକ୍ଷଣ କରିବା ଆରମ୍ଭ କଲେଣି । ଏହି ସିଷ୍ଟମଗୁଡ଼ିକ ଆସନ୍ତା ବର୍ଷଠାରୁ ହିଁ ବର୍ଡରେ ଲଗାଯିବ ।