ରାଜ୍ୟ ବଜେଟ୍:ବିଏସକେୱାଇ ଓ କାଳିଆ ଯୋଜନା ଉପରେ ସମସ୍ତଙ୍କ ଆଖି
ଭୁବନେଶ୍ୱର: ଆଜି ରାଜ୍ୟ ବଜେଟ୍ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅପରାହ୍ନ (ଗୁରୁବାର) ୫ଟାରେ ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଅର୍ଥ ବିଭାଗ ରଖିଥିବାରୁ ସେ ନିଜେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ । ଏଥିରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ନିଯୁକ୍ତି ଓ ମହିଳାଙ୍କୁ ଫୋକସ୍ କରାଯାଇପାରେ । ରାଜ୍ୟର ପ୍ରଥମ ଥର ସରକାର ଗଢିଥିବା ବିଜେପି ବଜେଟରେ ଜନକଲ୍ୟାଣ ଯୋଜନାକୁ କେତେ ଅଗ୍ରାଧିକାର ଦେବ ? ବଜେଟ ରୂପରେଖ କ'ଣ ରହିବ ? ଏହା ଉପରେ ଏବେ ସମସ୍ତଙ୍କ ନଜର ।
ପୂର୍ବତନ ବିଜେଡି ସରକାର ଗତ ଫେବୃଆରୀରେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର କାମଚଳା ବଜେଟ୍ ଆଣିଥିଲେ । ଏଥିରେ ୪ ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର ଲେଖାନୁଦାନ ରହିଥିଲା । ହେଲେ ରାଜ୍ୟରେ ନୂଆ ସରକାର ଆସିବା ପରେ ବଜେଟରେ କେତେକ ନୂଆ ଯୋଜନା ସାମିଲ ହୋଇଥିବାରୁ ବଜେଟର ପରିମାଣ ବଢିପାରେ । ବଜେଟର ମୋଟ ଆକାର ୩ ଲକ୍ଷ କୋଟି ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ରାଜ୍ୟ ବଜେଟରେ ଧାନର ଗଝଚ ଉପରେ ନିଷ୍ପତ୍ତି ନିଆଯାଇପାରେ । ସୁଭଦ୍ରା ଯୋଜନା ବ୍ୟୟବରାଦକୁ ନେଇ ମଧ୍ୟ କିଛି ଘୋଷଣା ହୋଇପାରେ । ଏଥିସହ ବଜେଟରେ ପୂର୍ବ ବିଜେଡି ସରକାରଙ୍କ ବିଏସକେୱାଇ ଓ କାଳିଆ ଯୋଜନା ଉପରେ ସମସ୍ତଙ୍କ ଆଖି ରହିଛି ।