ପୁଣି ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ୪ର୍ଥ ଦିନ । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା । ଆଶା କରାଯାଉଥିଲା ଆଜି ରାଜ୍ୟ ବଜେଟ ଆଗତ ହେବାକୁ ଥିବାବେଳେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବ । ତେବେ ତାହା ହୋଇପାରିଲା ନାହିଁ । ପୁଣି ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ ହେବାରୁ ହଟ୍ଟଗୋଳ ହୋଇଛି । ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।ବିରୋଧୀ ବିଜେଡି ପଏଣ୍ଟ ଅଫ ଅର୍ଡର ମାଗିଥିଲା । ବିରୋଧୀ ଦଳ ନେତାଙ୍କୁ ଗିରଫ ଶବ୍ଦ ପ୍ରସିଡିଂରୁ ହଟାଇବାକୁ ବିଜେଡି ଦାବି କରିଛି । ଅନ୍ୟପକ୍ଷରେ କଂଗ୍ରେସ ସଦସ୍ୟ ଗୃହକୁ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି କଂଗ୍ରେସ ବିଧାୟକ ଦଳ ନେତା ରିପୋର୍ଟର ଟେବୁଲରେ ଚଢ଼ିଥିବାବେଳେ କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ମାଇକ ଉପାଡ଼ିବାକୁ ଚେଷ୍ଟା କରିଥିଲେ ।