ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ ମିଳିବ କ୍ଷତିପୂରଣ

ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ ମିଳିବ କ୍ଷତିପୂରଣ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ କ୍ଷତିପୂରଣ ମିଳିବ । ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।ଗ୍ରାମର ୩ ଗୋପାଳକଙ୍କ ୭୩ ମଇଁଷିଙ୍କ ବ୍ରାହ୍ମଣୀ ନଦୀ ଶାଖା ଦକ୍ଷିଣଡିହା ଗଳିଆ ପାଣି ନାଳିରେ ମୃତ୍ୟୁ ଘଟିବା ଏବେବି ସନ୍ଦେହ ଘେରରେ ରହିଛି। କୁମ୍ଭୀର ଆକ୍ରମଣ ନା ଚିଙ୍ଗୁଡ଼ିଘେରିର ରାସାୟନିକ ପାଣି ଯୋଗୁ ବିଷକ୍ରିୟାରେ ମଇଁଷିଙ୍କ ମୃତ୍ୟୁ ଘଟିଛି ତାହାକୁ ନେଇ ଅଞ୍ଚଳବାସୀ ଆଲୋଚନା କରୁଛନ୍ତି।

ସୂଚନା ଯୋଗ୍ୟ, ରବିବାର ସକାଳ ପ୍ରାୟ ୮ଟାରେ ଏକମାଣିଆ ଗାଁର ଗଣେଶ ଦାସ, ଜଗନ୍ନାଥ ଦାସ ଓ ପରମାନନ୍ଦ ବିଶ୍ୱାଳଙ୍କ ୮୮ ମଇଁଷି ଗଳିଆ ନାଳି ପାଖରେ ବନ୍ଧା ହୋଇଥିଲେ। ମଇଁଷିମାନଙ୍କୁ ଖାଇବାକୁ ଦିଆଯିବା ସହ କ୍ଷୀରଦୁହାଁ ଯିବା ପରେ ଚରିବା ପାଇଁ ପଘା ଖୋଲା ଯାଇଥିଲା। ଗଳିଆ ନାଳି ପାର ହୋଇ ଚରି ଚରି ଆଗକୁ ମଇଁଷି ସବୁ ଯାଉଥିଲେ। ନାଳିଟି ଗହୀରିଆ ଓ ଅଣଓସାରିଆ ଥିବାରୁ କୁମ୍ଭୀର ଆକ୍ରମଣ ନା ବିଷକ୍ରିୟା ଯୋଗୁ ମଇଁଷିମାନେ ଛନ୍ଦାଛନ୍ଦି ହୋଇ ପାଣିରେ ବୁଡ଼ି ଯାଇଥିଲେ। ଗୋପାଳକ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେବା ପରେ ୨ଟି ଡଙ୍ଗା ନେଇ ନାଳି ମଧ୍ୟରେ ଖୋଜାଖୋଜି କରି ୭୩ ମଇଁଷିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗଣେଶ ଦାସଙ୍କ ୪୦, ଜଗନ୍ନାଥ ଦାସଙ୍କ ୧୭ ଓ ପରମାନନ୍ଦ ବିଶ୍ୱାଳଙ୍କ ୧୬ ମଇଁଷିଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଅପରପକ୍ଷେ ଜଗନ୍ନାଥଙ୍କ ୩ଟି ଓ ପରମାନନ୍ଦଙ୍କର ୧୨ ମଇଁଷି ସୌଭାଗ୍ୟବଶତଃ ବଞ୍ଚତ୍ ଯାଇଛନ୍ତି। ମଇଁଷି ନଦୀରେ ପହଁରି ଯାତାୟାତ କରିବା ସହ ଦୀର୍ଘ ସମୟ ପାଣିରେ ପଡ଼ି ରହିଥାନ୍ତି। କିନ୍ତୁ ଯେଉଁ ନାଳି ଦେଇ ସବୁଦିନ ମଇଁଷିମାନେ ଯାତାୟାତ କରନ୍ତି, ସେହି ନାଳିରେ ବୁଡ଼ି ମରିବା ଘଟଣା ଗୋପାଳକଙ୍କୁ ଆଶ୍ଚର୍ଯ୍ୟ କରିଛି। ମଇଁଷି ରଖି ପରିବାରର ଗୁଜୁରାଣ ମେଣ୍ଟାଉଥିବା ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।