ଆଇପିଏଲ୍ ଟିକଟ୍ର ଟିକସ ଅଧିକ

ନୂଆଦିଲ୍ଲୀ : ଚାଲିଛି ଆଇପିଏଲ୍ ମହାକୁମ୍ଭ । ଲୋକେ ଆଇପିଏଲ ଦେଖିବା ପାଇଁ ବହୁ ଆଗ୍ରହ । ଲୋକଙ୍କ ଉତ୍ସାହକୁ ଦେଖି ଆଇପିଏଲ୍ ଟିକଟରେ ଟିକସ ଉପରେ ଟିକସ ନିଆଯାଉଥିବା ଦେଖିବାକୁ ମିଳିଛି । ଏ ନେଇ ରବି ହାଁସଦା ନାମକ ଜଣେ ବ୍ୟକ୍ତି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ଆଇପିଏଲ ମ୍ୟାଚ୍ର ଟିକେଟଗୁଡିକ ଉପରେ କେଉଁ ଭଳି ଭାବେ ମୋଟ ଅଙ୍କର ଟିକସ ଆଦାୟ କରାଯାଉଛି, ତା’ର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି । ନିକଟରେ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି ମୁହାଁମୁହିଁ ହୋଇଥିଲା । ଏହି ମ୍ୟାଚ୍ ପାଇଁ ବିକ୍ରି ହେଉଥିବା ଟିକେଟର ଦାମ ଦେଖି ସମସ୍ତେ ଚକିତ ହୋଇଥିଲେ । ୨୩୪୩ ଟଙ୍କିଆ ଟିକେଟକୁ ଏକାଧିକ ଟିକସ ଯୋଗୁ ଫ୍ୟାନ୍ସ ୪ ହଜାର ଟଙ୍କାରେ କିଣିବାକୁ ବାଧ୍ୟ ହୋଇଛନ୍ତି । ଏହାର ଅର୍ଥ ସେମାନେ ଗୋଟିଏ ଟିକେଟ ପାଇଁ ୭୦ ପ୍ରତିଶତରୁ ଅଧିକ ଟିକସ ଦେଇଛନ୍ତି । ଟିକେଟର ମୂଳ ଦାମ ହେଉଛି ୨୩୪୩.୭୫ ଟଙ୍କା । ଏହା ଉପରେ ତାମିଲନାଡୁ ସରକାର ୨୫% ମନୋରଞ୍ଜନ ଟିକସ ଆକାରରେ ଆଦାୟ କରୁଛନ୍ତି । ଏଥିପାଇଁ ୭୮୧.୨୫ ଟଙ୍କା ଲାଗୁ କରାଯାଇଛି । ଏହାର ଅର୍ଥ ଟିକେଟର ଦାମ ୩୧୨୫ ଟଙ୍କାରେ ପହଞ୍ଚୁଛି । ଏହି ଦାମ ଉପରେ ସେଣ୍ଟ୍ରାଲ ଜିଏସ୍ଟି ପାଇଁ ୧୪% ଅର୍ଥାତ ୪୩୭.୫୦ ଟଙ୍କା ଓ ରାଜ୍ୟ ଜିଏସଟି ବାବଦରେ ଆଉ ୪୩୭.୫୦ ଟଙ୍କା ଲାଗୁ ହେଉଛି । ଏହାକୁ ମିଶାଇବା ପରେ ୨୩୪୩.୭୫ ଟଙ୍କିଆ ଟିକେଟ ସିଧା ୪ ହଜାର ଟଙ୍କାରେ ବିକ୍ରି ହେଉଛି । ଏପରି ଘଟଣା ସାମ୍ନାକୁ ଆସିବା ପରେ ଆଇପିଏଲ ଟିକେଟ ଉପରେ ଲାଗୁ ହେଉଥିବା ଟିକସ ଉପରେ ଟିକସ ନୀତିକୁ ସମସ୍ତେ ସମାଲୋଚନା କରିଛନ୍ତି । ଷ୍ଟାଡିୟମରେ ମ୍ୟାଚ୍କୁ ଉପଭୋଗ କରିବାକୁ ଚାହୁଁଥିବା ଲୋକଙ୍କ ଠାରୁ ଟିକେଟ ବାବଦରେ ଏତେ ପରିମାଣର ଟଙ୍କା ଆଦାୟ କରିବା ସଂପୂର୍ଣ୍ଣ ଭାବେ ଅନ୍ୟାୟ ବୋଲି ଅନେକ ମତ ରଖିଛନ୍ତି । ତେବେ ଏପରି ବ୍ୟବସ୍ଥା କେବଳ ଚେନ୍ନାଇ ମ୍ୟାଚ୍ରେ ଲାଗୁ ହେଉଛି ନା ବାକି ସବୁ ଆଇପିଏଲ ମ୍ୟାଚରେ ଫ୍ୟାନ୍ସଙ୍କୁ ଟିକସ ଉପରେ ଟିକସ ଦେବାକୁ ପଡୁଛି ସେକଥା ସ୍ପଷ୍ଟ ହୋଇନି ।