ଓଡ଼ିଶାରେ ଶକ୍ତି ଉପାସନା
ଅଲେଖ ଚନ୍ଦ୍ର ସାମଲ : ଓଡ଼ିଶାରେ ପାରମ୍ପରିକ ବୌଦ୍ଧମତବାଦ ଷଷ୍ଠ ଶତାବ୍ଦୀର ପ୍ରାରମ୍ଭରୁ କ୍ରମଶଃ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଶାକ୍ତମତବାଦ ସମାଜରେ ଆଦର ଲାଭ କରିଥିଲା । ଏହାଫଳରେ ଶକ୍ତି ଉପାସନା ନିମିତ୍ତ ବିଭିନ୍ନ ପୁରାଣ, ତନ୍ତ୍ର ଓ ଧର୍ମଶାସ୍ତ୍ର ପ୍ରଣୀତ ହୋଇଥିଲା । ମନ୍ଦିରମାଳିନୀ ଓଡ଼ିଶାରେ ଶକ୍ତିପୂଜା ଓ ଉପାସନା ନିମିତ୍ତ ସ୍ୱତନ୍ତ୍ର ଭାବେ ଯେଉଁ ମନ୍ଦିରମାନ ନିର୍ମିିତ ହୋଇଥିଲା, ତନ୍ନଧ୍ୟରେ ଭୁବନେଶ୍ୱରର ମୋହିନୀ, କପାଳିନୀ, ଗୌରୀ, ପୁରୀର ହରଚଣ୍ଡୀ, ବିମଳା, ଖିଚିଂର କୀଚକେଶ୍ୱରୀ, ଯାଜପୁରର ଦୁର୍ଗା ବିରଜା, କାକଟପୁରର ମଙ୍ଗଳା, ବାଙ୍କୀର ଚର୍ଚ୍ଚିକା, ଚୌରାଶିର ବାରାହୀ, ଝଙ୍କଡ଼ର ଶାରଳା, ଭଦ୍ରକର ଭଦ୍ରକାଳୀ, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ସହିତ ପୁରୀ ଓ ଯାଜପୁରର ସପ୍ତମାତୃକା ମନ୍ଦିର ଏବଂ ହୀରାପୁର ଓ ରାଣୀପୁର ଝରିଆଲର ଚଉଷଠି ଯୋଗିନୀ ମନ୍ଦିରର ନାମ ଉଲ୍ଲେଖଯୋଗ୍ୟ । ଏତଦବ୍ୟତୀତ କଟକ ଜିଲ୍ଲାର ମାହାଙ୍ଗା ନିକଟବର୍ତ୍ତୀ ନୂଆଗାଁରେ ଏକ ଅଦ୍ୱିତୀୟ ଅତିକାୟା ମହିଷମର୍ଦ୍ଦିନୀ ମୂର୍ତ୍ତି ପୂଜିତା ହେଉଛନ୍ତି । ମହିଷମର୍ଦ୍ଦିନୀ ମୂର୍ତ୍ତି ସମସ୍ତ ପ୍ରାଚୀନ ଶିବ ମନ୍ଦିରର ଉତ୍ତର ପାଶ୍ୱର୍ରେ ପାଶ୍ୱର୍ ଦେବତା ରୂପେ ସ୍ଥାନ ପାଇଥାଆନ୍ତି । ସପ୍ତମାତୃକାଙ୍କ ମଧ୍ୟରେ ଚାମୁଣ୍ଡାଙ୍କ ନାମ ଥିଲେ ମଧ୍ୟ ଭୁବନେଶ୍ୱରର କପାଳିନୀ ବୈତାଳ ମନ୍ଦିର, ମୟୂରଭଞ୍ଜ ଜିଲ୍ଲାର ଖିଚିଂ, ପୋଡ଼ାଗଡ଼ି, ବଡ଼ସାହି, କେଶର ପୁରଠାରେ ତାଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରାଯାଉଥିବାର ଦେଖାଯାଏ । କେବଳ ସେତିକି ନୁହେଁ, ଓଡ଼ିଶାର ସବୁ ଜିଲ୍ଲାରେ ଶାକ୍ତ ମନ୍ଦିର ଓ ଶାକ୍ତ ଦେବୀମୂର୍ତ୍ତିମାନ ଅଛନ୍ତି ଏବଂ ଶାକ୍ତମତ ଅନୁସାରେ ସେଠାରେ ଉପାସନାର ପ୍ରଚଳନ ରହିଛି । ପ୍ରାଚୀନ କାଳରୁ ପୁରୀ ଭଳି ଭୁବନେଶ୍ୱର ମଧ୍ୟ ଅନ୍ୟତମ ଶାକ୍ତପୀଠ ରୂପେ ଖ୍ୟାତି ଲାଭ କରିଆସିଛି । ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ଭୁବନେଶ୍ୱରରେ ଶାକ୍ତ ମତବାଦର ସ୍ମାରକୀ ରୂପେ ବହୁ ମନ୍ଦିର ଓ ମୂର୍ତ୍ତି ନିର୍ମିତ ହୋଇଥିଲା । ଶାକ୍ତଧାରାରେ କାପାଳିକମାନେ ଚାମୁଣ୍ଡା ବା କପାଳନୀଙ୍କୁ ତାନ୍ତ୍ରିକ ରୀତିରେ ଆରାଧନା ଦ୍ୱାରା ବେତାଳ ସିଦ୍ଧି କରୁଥିଲେ । ତେଣୁ ଭୁବନେଶ୍ୱରସ୍ଥ ବୈତାଳ ମନ୍ଦିରରେ ତିନି ମୁଣ୍ଡିଆ ଦେଉଳ ନାମକରଣ ତଦନୁଯାୟୀ ହୋଇଥିବାର ବିଶ୍ୱାସ କରାଯାଏ । ତ୍ରିଭୁବନ ମହାଦେବୀଙ୍କ ଦ୍ୱାରା ନିର୍ମିତ ଉକ୍ତ ବୈତାଳଙ୍କ ମନ୍ଦିରରେ ଅର୍ଦ୍ଧନାରୀଶ୍ୱର ଶିବ ଓ ମହିଷାସୁରମର୍ଦ୍ଦିନୀ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଥିବାର ଦେଖାଯାଏ । ସିଦ୍ଧଗୌରୀ ବା ଗୌରୀ ଦେବୀଙ୍କ ଦ୍ୱାରା ନିର୍ମିତ ଗୌରୀ ମନ୍ଦିରରେ ଗୌରୀ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜିତା ହେଉଛନ୍ତି । ଏଠାରେ ମନେ ରଖିବା ଉଚିତ ଯେ କବିବର ରାଧାନାଥ ରାୟଙ୍କ "କେଦାର ଗୌରୀ' କାବ୍ୟ ବର୍ଣ୍ଣିତ କାହାଣୀ ସହିତ ଭୁବନେଶ୍ୱରସ୍ଥ କେଦାରଗୌରୀ କ୍ଷେତ୍ରର କୌଣସି ସମ୍ପର୍କ ନାହିଁ । ଭୁବନେଶ୍ୱରର ଶିଶିରେଶ୍ୱର, ଦ୍ୱାରବାସିନୀ, ଉତ୍ତରେଶ୍ୱର, ମନ୍ଦିର ଏବଂ ମୋହିନୀ ଦେବୀଙ୍କ ଦ୍ୱାରା ନିର୍ମିତ ମୋହିନୀ ମନ୍ଦିର ଗାତ୍ରରେ ବହୁ ମହିଷମର୍ଦ୍ଦିନୀ ମୂର୍ତ୍ତି ଥିବାର ଦେଖାଯାଏ । ଏହି କ୍ଷେତ୍ରର କ୍ଷେତ୍ରାଧିଷ୍ଠାତ୍ରୀ ଶକ୍ତି ରୂପେ ବରାହୀ, ଭୂବାସିନୀ, ମୋହିନୀ, ଗୌରୀ, କାତ୍ୟାୟନୀ, ଭୁବନେଶ୍ୱରୀ, ଦ୍ୱାରବାସିନୀ ଓ ରାମଚଣ୍ଡୀ ଆଦି ଅଷ୍ଟଚଣ୍ଡିକା ନାମରେ ପୂଜିତା ହେଉଛନ୍ତି ।
ଭାରତୀୟ ତନ୍ତ୍ର ଶାସ୍ତ୍ରରେ ଓଡ଼ିଶାକୁ ଶକ୍ତି ଉପାସନାର ପ୍ରଥମ ପୀଠ ରୂପେ ସମ୍ମାନ ଦେବାକୁ କୁହାଯାଇଛି । ଉଡ୍ରାଖ୍ୟଂ ପ୍ରଥମଂ ପୀଠମ୍ । ପ୍ରାଚୀନ ଉତ୍କଳର ବିଭିନ୍ନ ମନ୍ଦିର ଜୈନ, ବୌଦ୍ଧ ଓ ହିନ୍ଦୁ ମତବାଦ ଅନୁସାରେ ପୂର୍ବେ ଉପାସିତ ହେଉଥିବା ଶତ ଶତ ଦେବୀ ମୂର୍ତ୍ତି ଓ ବିଭିନ୍ନ ରୂପ ଓ ନାମରେ ଅଦ୍ୟାବଧି ପୂଜିତା ହୋଇଥିବା ଅସଂଖ୍ୟ ଲୋକ ଦେବୀ ଓ ଗ୍ରାମଦେବୀଙ୍କୁ ଦେଖିଲେ ପୂର୍ବୋକ୍ତିର ସତ୍ୟତା ଓ ଯଥାର୍ଥତା ପ୍ରମାଣିତ ହୁଏ । କିନ୍ତୁ ଦୁଃଖର କଥା, ଭାରତୀୟ ଶାକ୍ତ ସଂସ୍କୃତିର ଇତିହାସରେ ଓଡ଼ିଶାକୁ ଆଦୌ ଗୁରୁତ୍ୱ ଦିଆଯାଇ ନାହିଁ । ଓଡ଼ିଶା ବାହାରର ଗବେଷକମକାନେ ଏ ବିଷୟରେ ଇଛାକୃତ ଭାବେ ଅବହେଳା କରିଆସୁଥିବା ବେଳେ ଓଡ଼ିଆ ଗବେଷକ ଓ ଇତିହାସକାରମାନେ ଅଦ୍ୟାବଧି ଓଡ଼ିଶାର ଶାକ୍ତଧର୍ମ ପ୍ରସଙ୍ଗରେ ସେପରି ସନ୍ତୋଷ ଜନକ କାର୍ଯ୍ୟ କରିପାରି ନାହାନ୍ତି । କାରଣ, ଏ ବିଷୟରେ ଅଦ୍ୟାପି ବିଧିବଦ୍ଧ କୌଣସି ସର୍ବେକ୍ଷଣ ହୋଇନାହିଁ କି ବିବରଣାତ୍ମକ ପୁସ୍ତକର ପ୍ରସ୍ତୁତି ଓ ପ୍ରକାଶନ ପାଇଁ ଯଥାର୍ଥ ପଦକ୍ଷେପ ନିଆଯାଇନାହିଁ । ଫଳରେ କାଳକ୍ରମେ ବହୁ ପ୍ରାଚୀନ ଅବଶେଷ ଚିରଦିନ ପାଇଁ ଲୋପ ପାଇଯାଉଛି । ବହୁ ଲୁକ୍କାୟିତ ପ୍ରତ୍ନତାତ୍ତ୍ୱିକ ଉପାଦାନ ମଧ୍ୟ ଲୋକଲୋଚନକୁ ଆସିପାରୁନାହିଁ । ତେଣୁ ଓଡ଼ିଶାର ଏହି ମହାନ ସାଂସ୍କୃତିକ ବିଭବର ପୁନରୁଦ୍ଧାର ଓ ସୁରକ୍ଷା ପାଇଁ ସବୁକ୍ଷେତ୍ରରେ ସମସ୍ତେ ଆନ୍ତରିକତାର ସହିତ କାର୍ଯ୍ୟ କାରିତା ବା‚ନୀୟ ।
ମୋ: ୯୪୩୭୨୫୭୧୨୩