ସତ୍ତା ହରାଇଲାଣି ବହୁ ପ୍ରେକ୍ଷାଳୟ

କଟକ: କଟକ ସହରରେ ଏବେ ସତ୍ତା ହରାଇଲାଣି ବହୁ ପ୍ରେକ୍ଷାଳୟ । ଏକଦା ମନୋରଞ୍ଜନର ଖୋରାକ ଯୋଗାଇବା ନିମନ୍ତେ କଟକରେ ଗଢିଉଠିଥିଲା ଅନେକ ସିନେମା ଘର ବା ପ୍ରେକ୍ଷାଳୟ । ସମୟ ଥିଲା, କଟକ ସହରରେ ଥିବା ସିନେମା ହଲଗୁଡିକର ଯଥେଷ୍ଟ ଚାହିଦା ରହିଥିଲା । ରଜ, ଦଶହରା ଏବଂ ବିଭିନ୍ନ ପର୍ବ ପର୍ବାଣୀରେ ପ୍ରେକ୍ଷାଳୟଗୁଡିକ ଲୋକାରଣ୍ୟ ହୋଇପଡୁଥିଲା । 
୧୯୨୬ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଦୀର୍ଘ ଛଅ ଦଶନ୍ଧି ମଧ୍ୟରେ କଟକ ସହରରେ ଗଢିଉଠିଥିଲା ୨୦ରୁ ଅଧିକ ପ୍ରେକ୍ଷାଳୟ ବା ସିନେମା ହଲ୍ । କାଳକ୍ରମେ ଚଳଚ୍ଚିତ୍ର ଶିଳ୍ପରେ ଅବନତି ଘଟିବାରୁ, ସଂପ୍ରତି ସହରରେ ମାତ୍ର ୩ଟି ହଲ୍ ଚାଲୁ ରହିଛି । କିଛି ପ୍ରେକ୍ଷାଳୟ ବିଲୁପ୍ତ ହୋଇଯାଇଥିବା ବେଳେ ଆଉ କେତେକ କଲ୍ୟାଣ ମଣ୍ଡପ ଅଥବା ମଲ୍ରେ ପରିଣତ ହୋଇଛି । ଆଉ କିଛି ରୂପାନ୍ତରିତ ପାଇଁ ଯୋଜନା ବି ଚାଲିଛି । ସାମ୍ପ୍ରତିକ ସ୍ଥିତି ଯାହା, ଭବିଷ୍ୟତରେ ସହର ପ୍ରେକ୍ଷାଳୟ ଶୂନ୍ୟ ହୋଇଯିବାର ସମ୍ଭାବନା ରହିଛି ବୋଲି ସିନେ ପ୍ରେମୀମାନେ ମତ ଦିଅନ୍ତି । କଟକରେ ସିନେମା ହଲ୍ ପ୍ରତିଷ୍ଠାର ଇତିହାସ ଅତି ପୁରୁଣା । ସର୍ବପ୍ରଥମେ ୧୯୨୬ ମସିହାରେ ଚାମେରିଆ କମ୍ପାନୀ ମିଶନ ରୋଡରେ ‘ସିନେମା ପ୍ୟାଲେସ୍’ ନାମରେ ଏକ ଅସ୍ଥାୟୀ ହଲ୍ ନିର୍ମାଣ କରିଥିଲେ । ଏହି ହଲରେ ପ୍ରଥମେ ନିର୍ବାକ୍ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ୧୯୨୭ରୁ ୧୯୩୦ ମଧ୍ୟରେ ତିନିକୋଣିଆ ବଗିଚା ଅଞ୍ଚଳରେ ‘ୟେକମି ଥିଏଟର’ ଆରମ୍ଭ ହୋଇଥିଲା । ଏହା ବନ୍ଦ ହେବା ପରେ ୧୯୩୨ରେ ହାଲଦାର ଓ ମୁଖାର୍ଜୀ ଦୁଇ ବନ୍ଧୁୁ ‘ହଲମୁକ୍ ହଲ୍’ ପ୍ରତିଷ୍ଠା କରିଥିଲେ । ଏହି ହଲରେ ‘ରାଜା ହରିଶ୍ଚନ୍ଦ୍ର’ ଏବଂ ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତା ବିବାହ’ ଆଦି ପ୍ରଦର୍ଶିତ ହୋଇଥିଲା । ୧୯୩୫ରେ ଜନୈକ ମାରୱାଡି ବ୍ୟବସାୟୀ ହଲମୁକ୍ ହଲକୁ କିଣି ସେଠାରେ ‘ପ୍ରଦୀପ ହଲ’ ନିର୍ମାଣ କରିଥିଲେ । ଏହାପରେ ୧୯୩୬ ମସିହାରେ ତିନିକୋଣିଆ ବଗିଚା ଅଞ୍ଚଳରେ ନିର୍ମିତ ହୋଇଥିଲା ‘କ୍ୟାପିଟାଲ ସିନେମା’ । ଏହା ୧୯୮୩ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ୧୯୪୫ ମସିହାରେ ବକ୍ସିବଜାର ଅଂଚଳରେ ‘ପ୍ରଭାତ ସିନେମା’ ହଲ୍ ଗଢିଉଠିଥିଲା । ସେହିପରି ୧୯୫୧ରେ ରାଣୀହାଟରେ ‘ହିନ୍ଦ୍ ସିନେମା’ ପ୍ରତିଷ୍ଠା ହୋଇଥିଲା । ଏହାଛଡା ୧୯୬୨ରେ ଚୈାଧୁରୀବଜାରରେ ‘ୟୁନାଇଟେଡ ଟକିଜ୍’ ଆରମ୍ଭ ହୋଇ ୧୯୬୫ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ୧୯୬୫ରେ ସହିଦ ଭବନ ସମ୍ମୁଖ ପଡିଆରେ ‘ ପାର୍ବତୀ ଟକିଜ୍’ ନିର୍ମାଣ ହୋଇଥିଲା । ୧୯୭୦ ମସିହା ପର୍ଯ୍ୟନ୍ତ ଏହା ଚାଲିଥିଲା । ସେହିପରି ୧୯୬୯ ମସିହାରେ ମତହାବ ରୋଡରେ ‘ଗ୍ରାଣ୍ଡ ସିନେମା’ ନିର୍ମିତ ହୋଇଥିଲା । ଏହାଛଡା ବିହାରୀବାଗ୍ ଅଞ୍ଚଳରେ ୧୯୬୯ରେ ‘ସୁରଜ୍ ଟକିଜ୍’ ପ୍ରତିଷ୍ଠା ହୋଇଥିଲା ଏବଂ ଏହା ୧୯୮୨ ପର୍ଯ୍ୟନ୍ତ ଚାଲିଥିଲା । ୧୯୭୨ ମସିହାରେ ଚାଉଳିଆଗଞ୍ଜ ଅଞ୍ଚଳରେ ‘ଜ୍ୟୋତି ଟକିଜ୍’ ଆରମ୍ଭ ହୋଇଥିଲା ଏବଂ ୧୯୮୩ରେ ଏହାର ନାମ ପରିବର୍ତ୍ତନ ହୋଇ ‘ଲକ୍ଷ୍ମୀ ଟକିଜ୍’ ହୋଇଥିଲା । ୧୯୭୯ରେ ଟାଉନହଲ୍ ଅଞ୍ଚଳରେ ‘ଦୁର୍ଗା ହଲ୍’ ଏବଂ ୧୯୮୦ରେ ଲିଙ୍କରୋଡରେ ‘ ନିଶାମଣି ସିନେମା’ ପ୍ରତିଷ୍ଠା ହୋଇଥିଲା । ଏହାଛଡା ୧୯୮୦ ମସିହାରେ ମଧୁପାଟଣା ଅଞ୍ଚଳରେ ‘ସମ୍ରାଟ ସିନେମା’, ୧୯୮୨ରେ ବଜ୍ରକବାଟି ରୋଡରେ ‘ ବୃନ୍ଦାବନ ହଲ୍’ ପ୍ରତିଷ୍ଠା ହୋଇଥିଲା । ସେହିପରି ୧୯୮୨ରେ ମହତାବ ରୋଡରେ ‘ସାଗର ସଙ୍ଗମ’, ୧୯୮୩ରେ ବକ୍ସିବଜାର ଅଞ୍ଚଳରେ ‘ରାଜତରଙ୍ଗିଣୀ ହଲ’ ଏବଂ ୧୯୮୫ରେ ବାଦାମବାଡି ଅଞ୍ଚଳରେ ‘ ଜୟଶ୍ରୀ’ ସିନେମା ଆରମ୍ଭ ହୋଇଥିଲା । ଏହିପରି କଟକ ସହରରେ ୨୦ରୁ ଅଧିକ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଚାଲୁଥିଲା । ପରେ ଏକବିଂଶ ଶତାବ୍ଦୀ ଆରମ୍ଭରେ ସିନେମା ପ୍ରତି ଲୋକଙ୍କ ଚାହିଦା କମିବାରୁ, ଧିରେ ଧିରେ ହଲଗୁଡିକ ଆଉ ପୂର୍ବ ଭଳି ଚାଲିଲା ନାହିଁ । ଷାଠିଏ ଦଶକ ଆରମ୍ଭରୁ ନବେ ଦଶକ ଶେଷ ପର୍ଯ୍ୟନ୍ତ ସମୟକୁ ଓଡିଆ ଚଳଚ୍ଚିତ୍ର ଜଗତର ସୁବର୍ଣ୍ଣ ଯୁଗ ବୋଲି ବିବେଚନା କରାଯାଏ । ଏହି ସମୟରେ କଟକର ପ୍ରାୟ ସମସ୍ତ ସିନେମା ହଲରେ ଦର୍ଶକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଥିଲା । ଏକବିଂଶ ଶତାବ୍ଦୀର ଆରମ୍ଭରେ ସିନେମା ପ୍ରତି ଦର୍ଶକଙ୍କ ଚାହିଦା କମିବାରୁ ଧିରେ ଧିରେ ହଲଗୁଡିକ ଆଉ ଚାଲିଲା ନାହିଁ । ଟିଭି ଓ ଭିଡିଓର ବହୁଳ ପ୍ରସାର ଏଥିପାଇଁ ଅନେକାଂଶରେ ଦାୟୀ ବୋଲି ସହରର ବହୁ ସିନେମା ପ୍ରେମୀ ମତ ଦିଅନ୍ତି । ସେହିପରି ମୈାଳିକ କାହାଣୀର ଅଭାବ, ଚାଲୁ ସଂଗୀତ, ଲାଭଖୋର୍ ମନୋବୃତି ପୋଷଣ ପୂର୍ବକ ଶସ୍ତା ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ନିର୍ମାଣ ହେବାରୁ ସିନେମାର ମାନ ହ୍ରାସ ପାଇବାକୁ ଲାଗିଲା । ସେହିପରି ହଲଗୁଡିକର ରକ୍ଷଣା ବେକ୍ଷଣ ପ୍ରତି ମଧ୍ୟ ମାଲିକମାନେ ଦୃଷ୍ଟି ଦେଲେ ନାହିଁ । ଫଳରେ ସହରର ବହୁ ସିନେମା ହଲଗୁଡିକ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଲା । ଫଳରେ ଦର୍ଶକମାନେ ଆଉ ହଲରେ ସିନେମା ଦେଖିବାକୁ ପସନ୍ଦ କଲେ ନାହିଁ । ସମୟ ସ୍ରୋତରେ, ହଲମୁକ୍, ପ୍ରଦୀପ, କ୍ୟାପିଟାଲ, ୟୁନାଇଟେଡ, ପ୍ରଭାତ, ହିନ୍ଦ୍, ସୁରଜ୍, ରାଜତରଙ୍ଗିଣୀ ଆଦି ସିନେମା ଘରଗୁଡିକ ବିଲୁପ୍ତ ହୋଇଯାଇଛି । ସଂପ୍ରତି ଦେବୀ ଦୁର୍ଗା ରୂପାନ୍ତରିତ ହୋଇ ‘ଆଇନକ୍ସ’ରେ ପରିଣତ ହୋଇଛି । ଏହାଛଡା ସାଗର ସଙ୍ଗମ ବଦଳି ସଙ୍ଗମ ପ୍ଲେକ୍ସ-୧ ଓ ୨ ହୋଇଛି । ନିଶାମଣି ଏବେ କଲ୍ୟାଣମଣ୍ଡପ, ଜୟଶ୍ରୀ ଏବେ ମଲ୍ , ଲକ୍ଷ୍ମୀ ଏବେ ଚାନେଲ କାର୍ଯ୍ୟାଳୟ, ଗ୍ରାଣ୍ଡ ଏବେ ରେଷ୍ଟୁରାଣ୍ଟରେ ପରିଣତ ହୋଇସାରିଛି । ସମ୍ରାଟ ହଲ କେବେ ଚାଲୁଛି ତ କେବେ ପୁଣି ବନ୍ଦ ରହୁଛି । ସହରରେ ଆଇନ୍ସ, ବୃନ୍ଦାବନ ଓ ସଙ୍ଗମ ପ୍ଲେକ୍ସ ବ୍ୟତୀତ ସବୁ ହଲ ବନ୍ଦ ହୋଇସାରିଛି । ସଂପ୍ରତି ଅଧିକାଂଶ ସିନେମା ଘରଗୁଡିକ ସେମାନଙ୍କ ଅସ୍ତିତ୍ୱ ହରାଇ ବସିଥିଲା ବେଳେ ହାତଗଣତିରେ ତିନୋଟି ପ୍ରେକ୍ଷାଳୟ ଚାଲୁ ରହିଛି । ପୁଣି ଯେଉଁସବୁ ପ୍ରେକ୍ଷାଳୟ ଚାଲିଛି ତାହା ମଧ୍ୟ ସୁସ୍ଥ ଅବସ୍ଥାରେ ନୁହେଁ ବୋଲି ଜଣାପଡିଛି । ଏକଦା ଚଳଚ୍ଚିତ୍ର ପାଇଁ ସାରା ଓଡିଶାରେ ସୁନାମ ଅର୍ଜନ କରିଥିବା କଟକ ସହର ଭବିଷ୍ୟତରେ ପ୍ରେକ୍ଷାଳୟ ଶୂନ୍ୟ ହୋଇଯିବାର ସମ୍ଭାବନା ରହିଛି ବୋଲି ସିନେ ପ୍ରେମୀମାନେ ଆଶଙ୍କା ବ୍ୟକ୍ତ କରନ୍ତି ।