ଓଳାଭର କପ୍ କ୍ରିକେଟ : ସେମିଫାଇନାଲରେ ଇଞ୍ଜନପୁର
ରାଜକନିକା: ଓଳାଭର ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ କାଳୀ ପଡ଼ିଆ ଠାରେ ଚାଲିଥିବା ୨୪ତମ ଓଳାଭର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ଦିନ ଖେଳ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜାଗୁଳାଇ କ୍ଲବ୍ ଇଞ୍ଜନପୁର ନୃସିଂହ ନାଥ କ୍ଲବ୍ ଭାମଣ୍ଡାକୁ ୬ ୱିକେଟରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଭାମଣ୍ଡା ପ୍ରଥମେ ବ୍ୟାଟିଂ କରି ୧୪ ଓଭରରେ ସମସ୍ତ ୱିକେଟ ହରାଇ ୮୦ ରନ କରିଥିବା ବେଳେ ଇଞ୍ଜନପୁର ୪ୱିକେଟ ହରାଇ ୮୧ ରନ କରି ବିଜୟ ଲାଭ କରିଥିଲା । ଏହି ଖେଳରେ ମୁଖ୍ୟଅତିଥି ନହୁଣୀ ସରପଞ୍ଚ ତ୍ରିଲୋଚନ ବିଶ୍ୱାଳ, ସମ୍ମାନିତଅତିଥି ଭାବେ ଓଳାଭର ଯୁବକ ସଂଘ ସମ୍ପାଦକ ଶ୍ରୀନିବାସ ଓଝା, ଓଳାଭର ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ସୁନୀଲ ଦାସ, ଓଳାଭର ପଞ୍ଚାୟତ ସମିତି ସଭ୍ୟ ଦେବବ୍ରତ ନାୟକ ପ୍ରମୁଖ ଯୋଗଦେଇ ଖେଳାଳୀଙ୍କ ସହିତ ପରିଚିତ ହେବା ସହ ବିଜେତା ଦଳର ଯୋଶେବ ବେହେରାଙ୍କୁ ମ୍ୟାନଅଫଦିମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ଆସୋସିଏସନ ସଭାପତି ଅରୁଣ ବାରିକ, ପ୍ରାକ୍ତନ ସମ୍ପାଦକ ଅକ୍ଷୟ ନାଥ, ସମ୍ପାଦକ ପ୍ରୟାଗ ନାୟକ, ସହସମ୍ପାଦକ ସତ୍ୟ ପ୍ରକାଶ ଜଗତି, ସେକ ହାସୀମ, ସଞ୍ଜୟ ପୃଷ୍ଟି, ରାଖାଲ ଦେ, ମାନସ ନାୟକ, ଓ ମିଲନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଉମାକାନ୍ତ ସେଠୀ ଓ ପ୍ରଭାତ ଦାସ ଖେଳ ପରିଚାଳନା କରିଥିବା ବେଳେ, ଉମେଶ ଚନ୍ଦ୍ର ଧାରା ବିବରଣୀ କାର୍ଯ୍ୟ ସମ୍ପାଦନ କରିଥିଲେ । ଆସୋସିଏସନ ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।