ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ
ଦେବଗଡ: ଦେବଗଡ ମହାବିଦ୍ୟାଳୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ତଥା ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଭାଗୀୟ ଶ୍ରମ ସଂସ୍ଥାପକ ଇତିଶ୍ରୀ ଗାଗରାଇଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଏବଂ ବରେଣ୍ୟ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଅରୁଣ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲା ଶ୍ରମ ଅଧିକାରିଣୀ ପଦ୍ମାବତୀ ମାରାଣ୍ଡି ପ୍ରମୁଖ ଯୋଗ ଦେଇ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରିଥିଲେ । ଏଥିସହ ଓଡ଼ିଶା ସରକାର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ସହାୟତା ଯୋଜନା ଓ ଏହାର ସୁଫଳ ପାଇବା ପାଇଁ ନିଜକୁ ନିର୍ମାଣ ଶ୍ରମିକ ରୂପେ ପଞ୍ଜିକୃତ କରନ୍ତୁ ବୋଲି ଆହ୍ୱାନ କରିଥିଲେ । ଶ୍ରମିକମାନଙ୍କ ପାଇଁ ଶିକ୍ଷା ସହାୟତା, ମୃତୁ୍ୟ କାଳୀନ ସହାୟତା, ଅନ୍ତେଷ୍ଟିକ୍ରିୟା ସହାୟତା, ବିବାହ ସହାୟତା, ପ୍ରସ୍ତୁତିକାଳୀନ ସହାୟତା ଉପରେ ଅତିଥିମାନେ ସୂଚନା ପ୍ରଦାନ କରିଥିଲେ । ଏଥିସହ ଶିକ୍ଷା ସହାୟତାରେ ୧୦୬ ଜଣଙ୍କୁ ୭ ଲକ୍ଷ ୬୫ ହଜାର ୪୦୦ ଟଙ୍କା, ବିବାହ ସହାୟତାରେ ୨୩୪ ଜଣଙ୍କୁ ୧କୋଟି ୧୭ଲକ୍ଷ ଟଙ୍କା, ପ୍ରସୂତିକାଳୀନ ସହାୟତାରେ ୧୮ ଜଣଙ୍କୁ ୧ ଲକ୍ଷ ୮୦ ହଜାର ଟଙ୍କା, ମୃତୁ୍ୟକାଳୀନ ସହାୟତାରେ ୨୬ ଜଣଙ୍କୁ ୫୨ ଲକ୍ଷ ଟଙ୍କା ଏବଂ ଅନ୍ତେଷ୍ଟିକ୍ରିୟା ସହାୟତାରେ ୦୫ ଜଣଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସମୁଦାୟ ୩୮୯ ଜଣଙ୍କୁ ଏହି ସବୁ ଯୋଜନାରେ ୧ କୋଟି ୭୮ ଲକ୍ଷ ୭୦ ହଜାର ୪୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଶ୍ରମ ବିଭାଗର କର୍ମଚାରୀ, ତିନି ବ୍ଲକରୁ ଆସିଥିବା ଶ୍ରମିକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।