ଯାଜପୁର କଳିଙ୍ଗନଗର ଗସ୍ତରେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଗସ୍ତରେ ଯିବେ । ରଜ ପାଇଁ ଓଡ଼ିଶାବାସୀଙ୍କୁ ନୂଆ ଭେଟି ଦେବେ ନୂଆ ସରକାର। ମୁଖ୍ୟମନ୍ତ୍ରୀଙ୍କର କଳିଙ୍ଗନଗରରେ ରହିଛି ମାରାଥନ ଶିଳାନ୍ୟାସ ଓ ଉଦ୍ଘାଟନୀ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ କଳିଙ୍ଗନଗର ଶିଳ୍ପାଞ୍ଚଳ। ଟାଟାଷ୍ଟିଲର ୨ୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ୬୩ ହଜାର କୋଟି ଟଙ୍କାର ନୂଆ ପ୍ରକଳ୍ପର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଯେଉଁଥିରେ ୩୪ ହଜାର ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି। ମୁଖ୍ୟମନ୍ତ୍ରୀ ଏଠାରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୪ ଟି ପ୍ରକଳ୍ପର ଲୋକାର୍ପଣ କରିବେ । ମୋଟ ୧ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍ଘାଟନ କରାଯିବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ସୁରକ୍ଷା ଦୃଷ୍ଟିରୁ ଏସ୍ପି ଏସ ପ୍ରତାପ ଶ୍ରୀମହଲଙ୍କ ନିର୍ଦ୍ଦେଶରେ ୩ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୫ ଡି ଏସ୍ପି, ୧୫ଜଣ ଇନ୍ସପେକ୍ଟରଙ୍କ ସହ ୨୪ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।