ଫାଇଲ ତଳେ ଅକ୍ଷୟଙ୍କ ମୃତୁ୍ୟ ରହସ୍ୟ: ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ନ୍ୟାୟ ଭିକ୍ଷା କଲେ ପରିବାର
ବ୍ରହ୍ମବରଦା:ଫାଇଲ ତଳେ ଚାପି ହୋଇଗଲା କି ଅକ୍ଷୟଙ୍କ ମୃତୁ୍ୟ ରହସ୍ୟ ଅକ୍ଷୟଙ୍କ ପରିବାର ବର୍ଗଙ୍କୁ ଆଜିଯାଏ ମିଳିନି ଉଚିତ ନ୍ୟାୟ କି ଶବବ୍ୟବଚ୍ଛେଦ ରିପୋର୍ଟ । ଅକ୍ଷୟଙ୍କ ମୃତୁ୍ୟ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରି ତାର କର୍ତ୍ତବ୍ୟ ଶେଷ କରିଥିବାବେଳେ ଅନ୍ୟ ଅଭିଯୁକ୍ତ ଆଜିଯାଏଁ ଖୁଲମଖୁଲା ବୁଲୁଛନ୍ତି । ସେମାନଙ୍କୁ ଗିରଫ କରାଯାଉନି । ତା ଛଡା ଗାଁରେ ବୁଲୁଥିବା ଅଭିଯୁକ୍ତ ବିଭିନ୍ନ ସମୟରେ ତାଙ୍କ ଉପରୁ ମାମଲା ଉଠାଇବା ପାଇଁ ଚାପ ପକାଇବା ସହ ଅକ୍ଷୟଙ୍କ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ବିଭିନ୍ନ ସମୟରେ ଧମକ ଚମକ ଦେଇଛନ୍ତି । ଯାହାଦ୍ୱାରା ଅକ୍ଷୟଙ୍କ ପରିବାର ସବୁ ସମୟରେ ଭୟରେ ଜୀବନ କାଳାତିପାତ କରୁଛନ୍ତି । ଯାହାକୁ ନେଇ ମୃତ ଅକ୍ଷୟଙ୍କ ସ୍ତ୍ରୀ ସଜନୀ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ଯାଜପୁର ଏସପିଙ୍କ ଠାରୁ ଆରମ୍ଭ କରି ଏସଡିପିଓଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । କିନ୍ତୁ ସବୁଠି ନିରାଶହୋଇ ଫେରିଛନ୍ତି । ଶେଷରେ ନିରୁପାୟ ଅକ୍ଷୟଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଯାଜପୁର ଜିଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କୁ ପତ୍ର ଓ ଇ-ମେଲ ଜରିଆରେ ନ୍ୟାୟ ଭିକ୍ଷା କରିଛନ୍ତି । ସେ ତାଙ୍କ ପତ୍ର ମାଧ୍ୟମରେ ଲେଖିଛନ୍ତି କି ଅକ୍ଷୟଙ୍କ ମୃତୁ୍ୟକୁ ଆଜିକୁ ଦେଢ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାରକୁ ମିଳିନି ଉଚିତ କି ନ୍ୟାୟ କି ତାଙ୍କୁ ହସ୍ତଗତ ହୋଇନି ବ୍ୟବଚ୍ଛେଦ ରିପୋର୍ଟ । ଏହା ବ୍ୟତୀତ ପ୍ରତି ମୁହୂର୍ତ୍ତରେ ତାଙ୍କର ଓ ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ଗ୍ରାମରେ ବୁଲୁଥିବା ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଓ ଜିଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ସୂଚନା ଅନୁଯାୟୀ କି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅକ୍ଟୋବର ମାସ ୧୦ ତାରିଖ ସନ୍ଧ୍ୟାରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ବ୍ରହ୍ମବରଦା ଥାନା ଅଧିନ ଛେନାଖିଆ ପାଟଣା ଗ୍ରାମର ଅକ୍ଷୟ ଗିରି(୬୦)ଙ୍କ ମୃତୁ୍ୟ ଘଟିଥିଲା । ଉକ୍ତ ଘଟଣାରେ ପୁଲିସ ବ୍ରହ୍ମବରଦା ଥାନା ଅଧିନ ନୂଆକୂଳ ଗ୍ରାମର ବାସିନ୍ଦା ନିତ୍ୟାନନ୍ଦ ବେହେରାଙ୍କ ପୁଅ ଅଭିଳାଷ, ଅଭିନାଶ ଓ ବିବାହିତ ଝିଅ ଗାୟତ୍ରୀ ଆଦି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।