ସୁନ୍ଦରପଦାରେ ଫେକ୍‌ କଲ୍‌ ସେଣ୍ଟର ଠାବ ମାମଲା


  • ରିମାଣ୍ଡ ଆବେଦନ କଲା ପୁଲିସ; ଏକ ଟିମ ଯିବ କୋଲକାତା
     ।। ପ୍ରଭାନ୍ୟୁଜ୍‌ ।। ଭୁବନେଶ୍ୱର, ୧୭ା୧୦ : ଭୁବନେଶ୍ୱର ସୁନ୍ଦରପଦାରେ ଫେକ୍‌ କଲ୍‌ ସେଣ୍ଟର ଠାବ ମାମଲାରେ କୋଲକାତା ଯିବ କମିଶନରେଟ୍‌ ପୁଲିସ୍‌ । ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଛି । ଅନୁମତି ମିଳିବା ପରେ କୋଲକାତାକୁ ସ୍ୱତନ୍ତ୍ର ପୁଲିସ ଟିମ୍‌ ପହଞ୍ଚି ତଦନ୍ତ କରିବ । ଏନେଇ ପୁଲିସ ସଜବାଜ ଆରମ୍ଭ କଲାଣି । ସାରା ଦେଶରେ ଏମାନେ ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍‌ ଗଠନ କରିଛି ପୁଲିସ । ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ ଅପଲୋଡ୍‌ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଏମାନେ ଚୁନା ଲଗାଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ବେଶ ଉଚ଼ ଶିକ୍ଷିତ । ତେଣୁ ଏମାନେ କେତେ ଠକିଛନ୍ତି ସେ ନେଇ ସାଇବର ଠକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଯାଞ୍ଚ ଚାଲିଛି ।
     ସୂଚନା ଯୋଗ୍ୟଯେ, ଏୟାରଫିଲ୍ଡ ଥାନା ଅଧିନରେ ଥିବା କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଦ୍ୱିତୀୟ ମହଲାରେ ଥିବା ୨୦୫ ନମ୍ବର ଫ୍ଲାଟରେ ନକଲି କଲ୍‌ ସେଣ୍ଟର ଚାଲିଥିବା କମିଶନରେଟ ପୁଲିସର ସାଇବର ଟିମ୍‌ କୌଣସି ସୂତ୍ରରୁ ଖବର ପାଇଥିଲା । ପରେ ଆଜି ସାଇବର ଟିମ ହଟାତ୍‌ ଆପାର୍ଟମେଣ୍ଟରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଆପାର୍ଟମେଣ୍ଟରେ ନକଲି କଲ୍‌ ସେଣ୍ଟର ଚାଲିଥିବା ଜଣାପଡିଥିଲା । ଏହି କଲ ସେଣ୍ଟରରେ ଲୋକମାନଙ୍କୁ ଫେକ୍‌ କଲ କରି ବିଭିନ୍ନ ପ୍ରକାର ଭୟଭିତ କରାଇ ଲକ୍ଷ ଲକ୍ଷ ଟଙ୍କା ଚୁନ ଲଗାଉଥିଲେ ପଶ୍ଚିମବଙ୍ଗର ୬ ଜଣ ସାଇବର ଲୁଟେରା । ଏଥିସହ ଆପାର୍ଟମେଣ୍ଟରୁ ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ମଧ୍ୟ ଠାବ କରାଯାଇଛି । ଗିରଫ ଅଭିଯୁକ୍ତମାନେ ବିଭିନ୍ନ ସମୟରେ କଲ ସେଣ୍ଟର ନାମରେ ଜାତୀୟ ଏବଂ ଆର୍ନ୍ତଜାତୀୟ ଲୋକଙ୍କୁ ମେଲ ଓ କଲ କରିଥାନ୍ତି । ବିଭିନ୍ନ କମ୍ପାନୀର ପ୍ରଡକ୍ଟ ନାମରେ ସେମାନଙ୍କୁ ମିଛ ସତ କହିବା ସହ ଉକ୍ତ ପ୍ରଡକ୍ଟ ସହ ଜଡ଼ିତ ହେଲେ ଲୋଭନୀୟ ଅଫର ମିଳିବ ବୋଲି ଗ୍ରାହକଙ୍କୁ କହିଥାନ୍ତି । ପରବର୍ତ୍ତୀ ସମୟରେ ଗ୍ରାହକମାନେ ଠକମାନଙ୍କ ସହ ଯୋଗାଯୋଗ କରିବାକୁ ଚାହିଁଲେ ଏକ ଟୋଲ ଫ୍ରି ନମ୍ବର ଅର୍ଥାତ + ୧୮୪୫୪୭୮୪୨୩୬ ମଧ୍ୟ ଜାରି କରାଯାଇଥିଲା । ଯେତେବେଳେ ଗ୍ରାହକମାନେ ଠକମାନଙ୍କୁ ଟୋଲ ଫ୍ରି ନମ୍ବରରେ ଫୋନ କରିଥାନ୍ତି ସେହି ସମୟରେ ଉକ୍ତ କଲଟି ସ୍କାଏପି କଲ ଏବଂ ଭିଓଆଇପି କଲକୁ ବଦଳି କରିଦିଅନ୍ତି । ସେତେବେଳେ ସେମାନେ ଦୂରରୁ ସିଷ୍ଟମର କଣ୍ଟୋଲ ଆକ୍ସେସ୍‌ କରି ସେମାନଙ୍କର ସିଷ୍ଟମ ନିୟନ୍ତ୍ରଣ କରିଥାନ୍ତି । ତାପରେ ଗ୍ରାହକ ଆବଶ୍ୟକ ପରିମାଣର ଉପହାର କାର୍ଡ ଡଲାର ଆକାରରେ ପଠାଇବା ପାଇଁ ଦାବି କରନ୍ତି, ସମ୍ପୃକ୍ତ ଯୁବକ ମାନେ ବିଭିନ୍ନ ପଦ୍ଧତି ମାଧ୍ୟମରେ ହାୱାଲା କାରବାର ଜରିଆରେ ଉକ୍ତ ଡଲାରକୁ ଭାରତୀୟ ମୁଦ୍ରାରେ ରୂପାନ୍ତର କରିବା ସହ ଗ୍ରାହକ ମାନଙ୍କୁ ଏହି ଉପାୟରେ ଠକିଥାନ୍ତି ।